Sat. Mar 7th, 2026

ଦଳୀୟ ଅନ୍ତଃକନ୍ଦଳର ଭୟାନକ ରୂପ : ଚାପଡ଼ରେ ଚୋଟ ପକାଇଲେ କର୍ପୋରେଟର୍‌

364 Views

ଖଣ୍ଡଗିରି , ଡିସେମ୍ବର ୨୯ : ସ୍ଥାନୀୟ ଭରତପୁରରରେ ଆଜି ଦେଖିବାକୁ ମିଳିଛି ବିଜେଡି କର୍ପୋରେଟରଙ୍କ ଦବଙ୍ଗଗିରି। ସେ ଚିକେନ କଟା ଚାପଡ଼ରେ ବିଜୁ ଯୁବ ବାହିନୀର କର୍ମୀଙ୍କୁ ହାଣି ଦେଇଛନ୍ତି। ରକ୍ତାକ୍ତ ହେଲେ ବି ସେ ଅଳ୍ପକେ ବର୍ତି ଯାଇଛନ୍ତି। ଖୋଦ୍ କର୍ପୋରେଟରଙ୍କ ଏଭଳି ଅଭାବାନୀୟ କାଣ୍ଡ ଆଜି ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। କର୍ପୋରେଟରଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଭରତପୁର ସତ୍ୟନଗର ବସ୍ତିର ରବୀନ୍ଦ୍ର ଦାସ(୨୮)। ଖଣ୍ଡଗିରି ଥାନା ପୁଲିସ ଦୁଇ ପକ୍ଷର ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ବିଜେଡି ଦଳ ଭିତରେ ଲାଗି ରହିଥିବା ଗୋଷ୍ଠୀ ବିବାଦର ଏହା ପରିଣାମ େବାଲି କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ଆଜି ରାତି ପ୍ରାୟ ୯ଟା ବେଳେ ଭରତପୁର କର୍ପୋରେଟର୍‌ ହରେକୃଷ୍ଣ ନାଏକ ଓରଫ୍ କାଳିଆ ନିଜ ପାର୍ଟି ଅଫିସ୍‌ରେ ବସି ସ୍ଥାନୀୟ ଲୋକଙ୍କ ସହ ୱାର୍ଡର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ। ଏହି ସମୟରେ ସତ୍ୟନଗର ବସ୍ତିର ରବୀନ୍ଦ୍ର ଦାସ ସେଠାରେ ଉପସ୍ଥିତ ଥିଲେ। ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କଠାରୁ ରବୀନ୍ଦ୍ର କ୍ରୀଡ଼ା ଉପକରଣ ବାବଦରେ ଆଣିଥିବା ୫୦ ହଜାର ଟଙ୍କାର ଅନୁଦାନକୁ ନେଇ ଆଲୋଚନା ହେବା ଭିତରେ କର୍ପୋରେଟର କାଳିଆ ରବୀନ୍ଦ୍ରଙ୍କୁ ଗାଳିମନ୍ଦ କରିଥିଲେ। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, କର୍ପୋରେଟରଙ୍କ ବିନା ଅନୁମତିରେ ବା ସୁପାରିସରେ ସେ ବିଧାୟକଙ୍କଠାରୁ ଅନୁଦାନ ଆଣିଥିବାରୁ ରାଗ ରଖି କର୍ପୋରେଟର୍‌ ତାଙ୍କୁ ଗାଳିମନ୍ଦ କରିଥିଲେ।

ରବୀନ୍ଦ୍ର ପ୍ରତିବାଦ କରିବାରୁ ଉତ୍‌କ୍ଷିପ୍ତ ହୋଇ କାଳିଆ ନିକଟସ୍ଥ ଏକ ଚିକେନ୍ କାଉଣ୍ଟରରୁ ଚାପଡ଼ ଆଣି ତାଙ୍କୁ ହାଣିବାକୁ ଉଦ୍ୟମ କରିଥିଲେ। ତେବେ ମୁଣ୍ଡରେ ଚାପଡ଼ ପାହାର ବସିବ‌ା ପୂର୍ବରୁ ରବୀନ୍ଦ୍ର ହାତ ଦେଖାଇ ଦେବାରୁ ତାଙ୍କ ବାମ ହାତର ବିଶି ଆଙ୍ଗୁଠି କଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ। କିନ୍ତୁ କର୍ପୋରେଟରଙ୍କ କାଳିଆଙ୍କ ଅଭିଯୋଗ ଅନୁସାରେ ‌ରବୀନ୍ଦ୍ର ଓ ତା’ର କିଛି ସହଯୋଗୀ ତାଙ୍କୁ ଆକ୍ରମଣ କରିବାକୁ ଆସିଥିବା ବେଳେ ଗଣ୍ଡଗୋଳ ଘଟିଥିଲା ଓ ରବୀନ୍ଦ୍ର ନିଜ ଚାପଡ଼ରେ ଆହତ ହୋଇଛି। ସେହି ୱାର୍ଡର ଜଣେ ଆଶାୟୀ କର୍ପୋରେଟରଙ୍କ ପ୍ରରୋଚନାରେ ରବୀନ୍ଦ୍ର ଏଭଳି ଗଣ୍ଡଗୋଳ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

By amfnews

Related Post