Wed. Jan 8th, 2025

ଦଳତ୍ୟାଗ ଓ ନିର୍ବାଚନ ସଂସ୍କାରର ଆବଶ୍ୟକତା

By amfnews Apr 13, 2019 #Featured
529 Views

ପ୍ରଶାନ୍ତ ପଟ୍ଟନାୟକ

ସାଧାରଣତଃ ଆମ ଦେଶରେ ରାଜନୈତିକ ନେତା ଓ କର୍ମୀମାନେ ଗୋଟିଏ ଦଳ ତ୍ୟାଗ କରି ଅନ୍ୟ ଗୋଟିଏ ଦଳରେ ଯୋଗ ଦେବା ପ୍ରାୟତଃ ଏକ ପରମ୍ପରାରେ ପରିଣତ ହୋଇଯାଇଛି । ପୂର୍ବରୁ ରାଜନେତାମାନେ ନୀତିଗତ ବା ଆଦର୍ଶଗତ କାରଣରୁ ଗୋଟିଏ ଦଳତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଉଥିଲେ । ଯାହାଫଳରେ କି ଭାରତରେ କ୍ରମାଗତ ଭାବରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ସୃଷ୍ଟି ହୋଇଛି । ମାତ୍ର ଚଳିତ ନିର୍ବାଚନରେ ଓଡ଼ିଶାରେ ଦଳବଦଳ ଏକ ଉତ୍କଟ ସଂକ୍ରମକ ବ୍ୟାଧିରୂପେ ବ୍ୟାପକ ହୋଇଥିବା ପରିଲକ୍ଷିତ ହୋଇଛି । ଯେଉଁମାନେ ଦୀର୍ଘ ବହୁ ବର୍ଷ ଧରି ସଭ୍ୟଥିବା ଗୋଟିଏ ରାଜନୈତିକ ଦଳ ରୁ ଇସ୍ତଫା ଦେଇ ଅନ୍ୟ ଏକ ଦଳରେ ଯୋଗଦେଇଛନ୍ତି ସେମାନେ କୌଣସି ନୀତି ବା ଆଦର୍ଶପାଇଁ ଏପରି ପଦକ୍ଷେପ ନେବା ପରିବର୍ତ୍ତେ କେବଳ ବ୍ୟକ୍ତିଗତ ସ୍ୱାର୍ଥ ଓ ଅଂହମିକା ପାଇଁ ଗୋଟିଏ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଇଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ଏଭଳି ଦଳତ୍ୟାଗ ମୁଖ୍ୟତଃ ସର୍ବଭାରତୀୟ ଦଳରେ ସ୍ୱିକୃତି ପ୍ରାପ୍ତ କଂଗ୍ରେସ ଓ ବିଜେପି ଏବଂ ଓଡ଼ିଶାର ଶକ୍ତିଶାଳୀ ପ୍ରାନ୍ତିୟ ଦଳ ବିଜୁ ଜନତା ଦଳ ମଧ୍ୟରେ ବିଶେଷ ଭାବରେ ପରିଲକ୍ଷିତ ହେଉଛି । ଯେଉଁ ତୁଙ୍ଗ ନେତାମାନେ ଭାଷଣରେ ନୀତି ଓ ଆଦର୍ଶକୁ ଗୁରୁତ୍ୱ ଦେଇଥାନ୍ତି ବାସ୍ତବ କ୍ଷେତ୍ରରେ ସେମାନେ ଦଳତ୍ୟାଗକୁ ପ୍ରୋତ୍ସାହୀତ କରୁଥିବା ଦେଖାଯାଇଥାଏ । ଗୋଟିଏ ଦଳରେ ବହୁବର୍ଷ ଧରି ରହିଥିବା ଏବଂ ଏହି ଦଳର ପ୍ରାର୍ଥୀ ଭାବରେ ବିଧାନସଭା, ଲୋକସଭାକୁ ନିର୍ବାଚିତ ହୋଇଥିବା ଅଥବା ରାଜ୍ୟସଭାକୁ ମନୋନିତ ହୋଇଥିବା ବହୁସଂଖ୍ୟକ ନେତା ନୀତି, ଆଦର୍ଶ ବା ରାଜ୍ୟ ଓ ଜନସାଧାରଣଙ୍କ ସ୍ୱାର୍ଥପାଇଁ ଦଳତ୍ୟାଗ ନକରି ନିଜନିଜର ସଂକିର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳତ୍ୟାଗ କରିଥିବା ସଚେତନ ନାଗରିକମାନଙ୍କୁ କ୍ଷୁବ୍ଧ ଓ ବିବ୍ରତ କରୁଥିବା ପରିଲକ୍ଷିତ ହେଉଥିଲେ ମଧ୍ୟ ସେମାନେ ଅସହାୟ ଭାବରେ ସବୁକିଛିକୁ ବରଦାସ୍ତ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ବିଜୁ ଜନତା ଦଳ ସୃଷ୍ଟି ହେବା ଦିନଠାରୁ ଏବଂ ପରେପରେ ଏହି ଦଳରେ ସଭ୍ୟଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଭିନ୍ନ ସମୟରେ ବିଧାୟକ, ମନ୍ତ୍ରୀ, ରାଜ୍ୟସଭା ବା ଲୋକସଭା ସଦସ୍ୟ ଭାବରେ ପର୍ଯ୍ୟାପ୍ତ ସମ୍ପିତ୍ତି ଓ ସମ୍ଭୋଗ ଉପଭୋଗ କରିବା ପରେ ନୈତିକ ବା ଆଦର୍ଶଗତ କାରଣରୁ ଦଳତ୍ୟାଗ ନକରି କେବଳ ବ୍ୟକ୍ତିଗତ କାରଣରୁ ଦଳତ୍ୟାଗ କରିବା ସଙ୍ଗେସଙ୍ଗେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ଦଳରୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅଚାନକ ଭାବରେ ଏହି ଦଳରେ ଯୋଗଦେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଏପରିକି ବିଜେପି ଦଳର ଜାତୀୟ ସଭାପତି ଶ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାର ନିର୍ବାଚନ ସଭାର ମଞ୍ଚରେ ଜଣାଶୁଣା ବିଜେପି ନେତାମାନଙ୍କ ଅପେକ୍ଷା ନିକଟରେ ଯୋଗ ଦେଇଥିବା ବିଜେଡ଼ି ଦଳର ଅନେକ ନେତାଙ୍କ ଉପସ୍ଥିତି କୌତୁହଳପ୍ରଦ ଦୃଶ୍ୟ ସୃଷ୍ଟି କରିଛି ।

ଗୋଟିଏ ଦଳର ଟିକେଟ୍ ଅଥବା ଉଚ୍ଚ ପଦବୀ ପାଇଁ ଲାଳାୟୀତ ଥିବା କଥାକଥିତ ନେତା ବା ନେତ୍ରୀ ସେମାନଙ୍କର ଅଭିଳାଷ ପୂରଣ ପାଇଁ ମୂହୁର୍ତ୍ତକ ମଧ୍ୟରେ ନିଜର ଦଳତ୍ୟାଗ କରି ବିପକ୍ଷ ଦଳରେ ଯୋଗଦେଉଥିବା କୌତୁହଳପ୍ରଦ ଓ ଅତ୍ୟନ୍ତ ହାସ୍ୟାସ୍ପଦ ପରିସ୍ଥିତି ଓ ପରିବେଶ ସୃଷ୍ଟି କରୁଛି । ବିଗତ ଦୀର୍ଘଦିନ ଧରି ଯେଉଁଦଳର ନୀତି, ଆଦର୍ଶ ଓ ନେତୃବର୍ଗଙ୍କ ବିରୁଦ୍ଧ୍ୱରେ ସେମାନେ ବିଷୋଦଗାର କରିଆସୁଥିଲେ ନିମିଷକ ମଧ୍ୟରେ ସେହି ଦଳର ନେତାମାନଙ୍କୁ ଆଲିଙ୍ଗନ କରି ଓ ସେହିଦଳର ଉତ୍ତରୀୟ ଏବଂ ଟୋପିରେ ନିଜକୁ ସଜ୍ଜାଇ ଗର୍ବ ଅନୁଭବ କରୁଥିବା ଭଳି ଅଭାବନୀୟ ଦୃଶ୍ୟ ସାଧାରଣ ଜନତାଙ୍କୁ ବହୁ ପରିମାଣରେ ଆଘାତ ଦେଉଥିଲେ ମଧ୍ୟ ସେମାନେ ଏଭଳି ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ନିମନ୍ତେ ବାଟ ଖୋଜି ପାଉନାହେନ୍ତି ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମ ଦେଶକୁ ପରିଚିତ କରାଇବାରେ ପ୍ରତ୍ୟେକ ନାଗରିକ ଯେଉଁ ପରିମାଣର ଗର୍ବ ଅନୁଭବ କରନ୍ତି ସାମ୍ପ୍ରତିକ ସ୍ଥିତିରେ ଘଟିଚାଲିଥିବା ଦଳତ୍ୟାଗ ଦେଖିଲେ ଲଜ୍ୟାରେ ମୁଣ୍ଡ ନୁଆଁଇବା ବ୍ୟତିତ ଅନ୍ୟପନ୍ଥା ନାହିଁ ।ଏହି ଦଳତ୍ୟାଗ ରାଜନୀତିରେ ଦେଶର ସାଧାରଣ ଜନତା ସମାନ୍ୟତମ ଲାଭବାନ ହେବାର ସମ୍ଭାବନା ନଥାଏ କେବଳ ଦଳତ୍ୟାଗିମାନେ ସମ୍ପତ୍ତି ସଂଭୋଗ କ୍ଷମତା ଓ ସ୍ୱାର୍ଥ ସାଧନ ପାଇଁ ଦଳତ୍ୟାଗ କରି ପ୍ରଭୃତ ଫାଇଦା ଉଠାଉଥିବାରୁ ଏହାର ସବୁଦିନ ପାଇଁ ଅନ୍ତ ଘଟାଇବା ନିମନ୍ତେ ଆମ ଦେଶର ନିର୍ବାଚନ ସଂସ୍କାର ଯେ ଏକାନ୍ତ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ ।

ପ୍ରଥମତଃ ନିର୍ବାଚନ ଆଚରଣ ବିଧି ଆଇନର ସଂଶୋଧନ କରି ନିର୍ବାଚନ ତାରିଖ ଘୋଷଣା ହେବା ପରେ କୌଣସି ପ୍ରାର୍ଥୀ ବା ବ୍ୟକ୍ତି ଗୋଟିଏ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗଦେବା ନିଷିଧ କରାଯିବା ଏକାନ୍ତ ଆବଶ୍ୟକ । ତାହାହେଲେ ଆମର ନେତା ଏବଂ ପ୍ରାର୍ଥୀମାନେ ଦଳତ୍ୟାଗ ଭଳି ଏକ କୁତ୍ସିତ ଓ ଭୟଙ୍କର ସଂକ୍ରାମକ ବ୍ୟାଧିରୁ ମୁକ୍ତ ହୋଇପାରିବେ ଏବଂ ଆମ ଦେଶର ଗଣତନ୍ତ୍ର ଅନେକ ପରିମାଣରେ ସୁସ୍ଥ ହୋଇପାରିବ ।

By amfnews

Related Post