Fri. Dec 27th, 2024

ଦଳତ୍ୟାଗ ଓ ଅବଲୁପ୍ତ ମୂଲ୍ୟବୋଧ

By amfnews Apr 6, 2019 #Featured
138 Views

ପ୍ରଶାନ୍ତ ପଟ୍ଟନାୟକ

ନିର୍ବାଚନ ପୂର୍ବରୁ ଅଥବା ନିର୍ବାଚନ ସମୟରେ ଦଳବଦଳ କରିବା ଏକ ଗୁରୁତ୍ୱର ଅପରାଧ ବୋଲି ଜନସାଧାରଣ ବିଚାର କରୁଥିଲେ ଏବଂ ଏଭଳି ଦଳ ତ୍ୟାଗିମାନଙ୍କୁ ଆନ୍ତରିକ ଭାବରେ ଘୃଣା କରୁଥିଲେ । କେହିକେହି ଦଳତ୍ୟାଗି ମାନଙ୍କୁ ‘ମଳତ୍ୟାଗି’ ବୋଲି ଆକ୍ଷା ଦେଉଥିଲେ ମନ୍ଦିର ତୋଳିଲେ ଯେଭଳି ନାଁ ବିକ୍ଷାତ ହୁଏ ରାସ୍ତାରେ ମଳତ୍ୟାଗ କଲେ ନାଁ ତା ଠାରୁ ଅଧିକ ବଦନାମ ହୁଏ ଏକଥା କାହାରିକୁ ଅଛପା ନାହିଁ ।

ପୂର୍ବରୂ ଯେଉଁ ରାଜନୈତିକ ଦଳର ନେତା ବା କର୍ମୀମାନେ ଦଳ ତ୍ୟଗ କରୁଥିଲେ ସେମାନଙ୍କୁ ସାଧାରଣ ଜନତା ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ । ନେତାମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡ଼େଇଁବା ପଛରେ ରାଜନୈତିକ, ସାମାଜିକ ଏବଂ ଆର୍ଥିକ ଫାଇଦା ଥିବା ବିଷୟ କାହାରିକୁ ଅଛପା ନାହିଁ । ତେଣୁ ଯେକୌଣସି ନେତା ଦଳ ତ୍ୟାଗ କରିବା ସମୟରେ ସେ ନିଜର ସମର୍ଥକମାନଙ୍କ ମତାମତ ନେଇ ଦଳ ତ୍ୟାଗ କରିଛନ୍ତି ବୋଲି ଦୃଢ଼ ସ୍ୱରରେ ଦାବି କଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେମାନେ କେବେହେଲେ ଥରକ ପାଇଁ ନିଜର ସମର୍ଥକ ବା ଅନୁଗତମାନଙ୍କ ମତାମତ ନେଇନଥାନ୍ତି ।

ପୂର୍ବରୁ ଦଳତ୍ୟାଗ କରିବା ଏକ ନିନ୍ଦନୀୟ ବ୍ୟପାର ଭାବରେ ବିଚାର କରାଯାଉଥିବାରୁ ସାଧାରଣ ଭାବରେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳତ୍ୟାଗ କରୁଥିବା ବ୍ୟକ୍ତିମାନେ ଯେକୌଣସି ନୀତି ବା ଆଦର୍ଶରେ ବିଶ୍ୱାସ କରୁନଥିବା ଦେଖାଯାଇଥାଏ । ନିର୍ବାଚନ ସମୟରେ ଦଳୀୟ ଟିକେଟ ନମିଳିବାରୁ ବହୁସଂଖ୍ୟକ ଆଶାୟୀ ନିମିଶକ ମଧ୍ୟରେ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଇଥାନ୍ତି ଯେଉଁ ଦଳର ନୀତି ଆଦର୍ଶ ଏବଂ ନେତାମାନଙ୍କୁ ସେମାନେ ପୂର୍ବରୁ ଅତ୍ୟନ୍ତ କଠୋର ଭାବରେ ସମାଲୋଚନା କରୁଥାନ୍ତି ।

ମାତ୍ର ସମ୍ପ୍ରତି ଦଳତ୍ୟାଗ କରୁଥିବା ବ୍ୟକ୍ତିମାନେ ସମାଜ ନିକଟରେ ସାମାନ୍ୟତମ ସଂକୁଚିତ ହେଉଥିବା ଦେଖାଯାଉ ନାହିଁ ଅପର ପକ୍ଷରେ ସେମାନେ ଦୀର୍ଘଦିନ ଧରି ଯେଉଁ ଦଳର ନୀତି ଆଦର୍ଶ ଓ ନେତୃତ୍ୱକୁ ପ୍ରଶଂସା କରୁଥିଲେ । ସାମନ୍ୟ ସ୍ୱାର୍ଥପାଇଁ ସେମାନେ ଉକ୍ତ ଦଳ, ନେତା ଓ ଆଦର୍ଶକୁ ସ୍ୱଚନୀୟ ଭାବରେ ପ୍ରତ୍ୟାଖାନ କରିଥାନ୍ତି । ଏଠାରେ ଏହା ସ୍ୱିକାର୍ଯ୍ୟ ଯେ ସମ୍ପ୍ରତି ଦଳତ୍ୟାଗ ଏକ ମହା ଛଳନାର ବିଷୟ ବସ୍ତୁ ହୋଇପଡ଼ିଛି । ଦଳର ନେତାମାନେ ଆକସ୍ମାତ୍ ଅଣଦେଖା କରିବା ଅନୁଭବ କରି କେହିକେହି ଦଳତ୍ୟାଗ କରୁଥିବା ସମୟରେ କାହାର ପିତାଙ୍କ ମୃତ୍ୟୁ ପରେ ଦଳର ନେତା ତାଙ୍କୁ ଶେଷ ଦର୍ଶନ କରିବାକୁ ଯାଇନଥିବାରୁ କ୍ଷୁବ୍ଧ ହୋଇ ତାଙ୍କ ପ୍ରତି ବିଷୋଦଗାର କରି କେହିକେହି ରାଜନେତା ଦଳ ଛାଡ଼ିବା ଭଳି ଅଯୌକ୍ତିକ ଓ ହାସ୍ୟାସ୍ପଦ ଯୁକ୍ତି ଦେଖାଇ ସମବେଦନା ଗୋଟାଇବା ପାଇଁ ଉଦ୍ୟମ କରୁଛନ୍ତି ।

ପୂର୍ବରୁ ଗୋଟିଏ ଦଳ ଛାଡ଼ି ଆଉଗୋଟିଏ ଦଳରେ ଯୋଗ ଦେବା ଅନୈତିକ ଓ ଲଜ୍ଜ୍ୟା ଜନକ ବୋଲି ସାଧାରଣତଃ ଅନୁଭୂତ ହେଉଥିବାରୁ ଦଳତ୍ୟାଗିମାନେ ସାଧାରଣରେ ମୁହଁ ଦେଖାଇବା ପାଇଁ ସଙ୍କୁଚିତ ହେଉଥିଲେ ମାତ୍ର ଏବେ ସେହି ଦୃଶ୍ୟପଟ୍ଟ ସମ୍ପୁର୍ଣ୍ଣ ରୂପେ ବଦଳିଯାଇଛି । ଦଳତ୍ୟାଗକୁ ଗୌରବାନିତ କରିବା ପାଇଁ ‘ମିଶ୍ରଣ ପର୍ବ’ ମାନ ଆୟୋଜନା କରାଯାଇ ଏକ ସମୟରେ ଅନେକ ବ୍ୟକ୍ତି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ତୃଣମୂଳ ସ୍ତରରେ କର୍ମୀମାନେ ପରସ୍ପର ସହ ଏକ ପ୍ରକାର ଶତ୍ରୁତା କରି ହିଂସାକାଣ୍ଡ ଓ ମାଲିମୋକଦ୍ଦମାରେ ବ୍ୟସ୍ତଥିବା ଏବଂ ଜମିବାଡ଼ି ବିକ୍ରି କରି ମାଲିମୋକଦ୍ଦମା ଲଢ଼ୁଥିବା ସମୟରେ ଦଳତ୍ୟାଗ କରୁଥିବା ନେତାମାନେ ପରସ୍ପରକୁ କୋଳାଗୃତ କରିବାର ଅସହୟ ଦୃଶ୍ୟକୁ ସାଧାରଣ କର୍ମୀମାନେ ଜନ୍ତ୍ରଣାର ସହ ବରଦାସ୍ତ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ଫଳରେ ରାଜନୀତି ଆଜି ଆଉ କୌଣସି ନିର୍ଦ୍ଧିଷ୍ଟ ନୀତି, ଦର୍ଶନ ବା ଆଦର୍ଶ ଉପରେ ଆଧାରିତ ନହୋଇ ସ୍ୱାର୍ଥସିଧି ଏହାର ଏକମାତ୍ର ଲକ୍ଷ୍ୟରେ ପରିଣତ ହୋଇଥିବାରୁ ଆମ ଦେଶରେ ରାନୈତିକ ମୂଲ୍ୟବୋଧ ସମ୍ପୁର୍ଣର୍ ରୂପେ ଧ୍ୱସଂ ପାଇସାରିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଭଳି ପରିସ୍ତିତିରେ ସାଧାରଣ ଜନତା କେବଳ ସ୍ୱାର୍ଥାନ୍ୱେସୀ ନେତାମାନଙ୍କ ଭାଷଣ ବା ପ୍ରତିଶୃତିରେ କୁଟାଖିଅ ଭଳି ଭାସିନଯାଇ ହିମାଳୟ ଭଳି ନୀତି ଓ ଆଦର୍ଶରେ ଅଟଳ ରହିବା ଏକାନ୍ତ ଆବଶ୍ୟକ ।

By amfnews

Related Post