Sat. Mar 7th, 2026

ଦଳ ବଦଳାଇବେ ନବ!

218 Views

ଝାରସୁଗୁଡ଼ା , ଡିସେମ୍ବର ୦୨: ଝାରସୁଗୁଡ଼ା ବିଧାୟକ ନବ ଦାସ ଦଳ ବଦଳାଇ ବିଜେଡିରେ ଯୋଗଦେବେ ବୋଲି କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏହି ଚର୍ଚ୍ଚାର ନିଆଁରେ ନିଜେ ଘିଅ ଢାଳିଛନ୍ତି ‌ନିଜେ ନବ। ଯଦି ଅନ୍ୟ ଦଳକୁ ଚାଲିଯାଆନ୍ତି, ତେବେ ବି କ’ଣ ତାଙ୍କୁ ସମର୍ଥନ କରିବେ କି ବୋଲି ଆଜି ସେ ନିଜ କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି। କର୍ମୀମାନେ ବି ନେତା ଯୁଆଡ଼େ, ଆମେ ସିଆଡ଼େ ବୋଲି କହି ତାଙ୍କୁ ସମ୍ମତି ଦେଇଛନ୍ତି। ତେଣୁ ଖୁବ୍‌ଶୀଘ୍ର ନବ ଦଳ ବଦଳାଇବେ ବୋଲି ପୁଣି ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ନବ ଦାସ ଯୋଗ ଦେଇଥିଲେ। ଭାଷଣ ଅବସରରେ ସେ ଅନ୍ୟଦଳକୁ ଗଲେ କର୍ମୀମାନଙ୍କର କ’ଣ ଆପତ୍ତି ଅଛି କି ବୋଲି ଜାଣିବାକୁ ଚାହିଁଥିଲେ। ଉତ୍ତରରେ କର୍ମୀମାନେ ‘ ଆମ ନେତା ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ସମର୍ଥନ କରିବୁ’ ବୋଲି କହିଥିବା ଜଣାଯାଇଛି। ବୈଠକରେ କୋଲାବିରା, ସୋଢ଼ାମାଲ ଓ ପୋଖରାସାହ୍ଳେ ପଞ୍ଚାୟତର ସମସ୍ତ କର୍ମୀ ଉପସ୍ଥିତ ଥିଲେ। ପୂର୍ବ ବ୍ଳକ୍‌ କଂଗ୍ରେସ ସଭାପତି ନବୀନ ନାଏକ, ପୂର୍ବ ପିସିସି ସଭ୍ୟ ବୀରେନ୍ଦ୍ର ମହାପାତ୍ର, କୁବେର ନାୟକ, ପୁରୁଷୋତ୍ତମ ନାୟକ ପ୍ରମୁଖ ମଧ୍ୟ ଥିଲେ। ଏହାପରେ ଶ୍ରୀ ଦାସ ଆଜି ବି ଲଇକେରା ବ୍ଲକ ହାତୀଆନାଳରେ ବି ଏକ କର୍ମୀ ସମ୍ମିଳନୀ ରଖିଥିବା ଜଣାଯାଇଛି। ତିନି ଦିନ ତଳେ ହାତୀଆନାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଏକ କଂଗ୍ରେସ କର୍ମୀ ସମ୍ମିଳନୀ କରିଥିଲେ। ଦିନ କେଇଟା ପରେ ନବ ସେଠାରେ ଆଉ ଥରେ ସମ୍ମିଳନୀ କରିବା ରାଜନୈତିକ ଗୁରୁତ୍ବ ବହନ କରୁଛି।

ରଘୁନାଥପାଲି ବୈଠକ ସଂପର୍କରେ ନବଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ। ଆସନ୍ତାକାଲି ସେ ଏ ନେଇ ନିଜର ପ୍ରତିକ୍ରିୟା ରଖିବେ ବୋଲି ଅନୁମାନ କରାଯାଉଛି।

ତେବେ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ସହ ନିକଟତା ବୃଦ୍ଧି ଓ ଗତ କିଛିଦିନର ଘଟଣାବଳୀ ତଥା ତାଙ୍କର ବକ୍ତବ୍ୟ ଆଦିକୁ ଦେଖିଲେ ସେ ଖୁବ୍‌ଶୀଘ୍ର ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ରା‌ଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ କରାଯାଉଛି।

By amfnews

Related Post