Sat. Mar 7th, 2026
136 Views

ପିପିଲି : ପୁରୀ ଜିଲ୍ଲା ପିପିଲିର ପୃଥକ ପୃଥକ ତିନୋଟି ସ୍ଥାନରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଚନ୍ଦ୍ରାଦେଈପୁର ଗାଁର ମକର ପଲେଇ ଆଜି ସକାଳେ ପରିବା ଜମିରେ କାମ କରୁଥିବା ବେଳେ ହାତୀ ତାଙ୍କ ଛାତି ଉପରେ ଗୋଡ଼ ପକାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଚୈତନ୍ୟ ସାହୁଙ୍କ ଘର ରାଜତଇ ଗାଁରେ।

ଗତକାଲି ସନ୍ଧ୍ୟାରେ ଚନ୍ଦକା ଅଞ୍ଚଳରୁ ଏକ ଦନ୍ତା ହାତୀ ଆସି ଡେଲାଙ୍ଗ ଅଞ୍ଚଳର କୁଆପଦାରେ ପ୍ରବେଶ କରିଥିଲା। ଖବର ପାଇ ବନ ବିଭାଗ ହାତୀ ଉପରେ ନଜର ରଖିଥିଲା। ହେଲେ ରାତି ପ୍ରାୟ ୯ଟା ପରେ ବନ ବିଭାଗ ହାତୀର ଗତିବିଧି ଉପରେ କିଛି ଜାଣି ପାରି ନଥିଲା। ଆଉ ଆଜି ସକାଳେ ତିନୋଟି ଜୀବନ ଚାଲିଗଲା। ସରକାରୀ ନିୟମ ଅନୁଯାୟୀ, ଏହି ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ ସୂଚନା ମିଳିଛି।

By amfnews

Related Post