Mon. Jun 16th, 2025

ତେଲେଙ୍ଗାନା ଇଟାଭାଟିରେ ଅକଥନୀୟ ନିର୍ଯାତନା : ଖସି ଆସିଲେ ୧୫ ଦାଦନ

By amfnews Feb 11, 2019 #Featured
220 Views

ରାୟଗଡା : ରାୟଗଡା ଷ୍ଟେସନରୁ ୧୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି ରାୟଗଡା ଶ୍ରମ ବିଭାଗ। ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗୀର ଜିଲ୍ଲାରେ। ତେଲେଙ୍ଗାନାର ଏକ ଇଟାଭାଟିରେ ଏହି ଶ୍ରମିକମାନେ କାମ କରୁଥିବା ବେଳେ ଏମାନଙ୍କୁ ମିଳୁଥିଲା ଅକଥନୀୟ ନିର୍ଯାତନା। ଲୁଚିଛପି ଶ୍ରମିକମାନେ କୌଣସି ମତେ ସେଠାରୁ ଲୁଚି ପଳାଇ ଆସିଥିବା ବେଳେ ରାୟଗଡା ଶ୍ରମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। ଆଜି ରାୟଗଡାରେ ରାତ୍ରିଯାପନ ପରେ ଆସନ୍ତାକାଲି ସକାଳେ ଟ୍ରେନ୍ ଯୋଗେ ସମସ୍ତ ଶ୍ରମିକଙ୍କୁ ନିଜ ଭିଟାମାଟିକୁ ପଠାଯିବ ବୋଲି ସୂଚନା ମିଳିଛି।

୫ ମାସ ତଳେ ଏହି ଶ୍ରମିକମାନେ ତେଲେଙ୍ଗାନାର ପାଇଟିପାଇ ଜିଲ୍ଲା କାଲଚଲା ଗ୍ରାମର ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ। ୧୫ ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଓ ସେମାନଙ୍କ ଛୋଟ ଶିଶୁ ଅଛନ୍ତି। ଜଣେ ଠିକାଦାର ମୋଟା ଅଙ୍କର ମଜୁରୀ ଦେଇ କାମ କରିବାକୁ ଡାକି ନେଇଥିବା ବେଳେ ସେଠାରେ ଶ୍ରମିକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ କହିଛନ୍ତି। ଜୋର ଜବରଦସ୍ତି ଶ୍ରମିକମାନଙ୍କୁ କାମରେ ନିୟୋଜିତ କରାଯିବା ସହ ଠିକ୍ ଭାବରେ ମଜୁରୀ ପ୍ରଦାନ କରିନଥିଲା ଠିକାଦାର। ନିର୍ଯାତନା ଅସହ୍ୟ ହେବା ପରେ ଶ୍ରମିକମାନେ ଲୁଚିଛପି ଇଟାଭାଟି ଛାଡ଼ି ପଳାଇ ଆସିଥିଲେ। ଆଜି ଶ୍ରମିକମାନେ ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଯୋଗେ ରାୟଗଡା ଆସୁଥିବା ଖବର ପାଇ ଆନ୍ତର୍ଜାତିକ ମାନବାଧିକାର କମିଶନ୍ ଓ ଜିଲ୍ଲା ଶ୍ରମ ବିଭାଗ କର୍ତୃପକ୍ଷ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ଜିଲ୍ଲା ଶ୍ରମ ବିଭାଗ ଉଚ୍ଚ କର୍ତୃପକ୍ଷ ଉଦ୍ଧାର ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ବଲାଙ୍ଗୀର ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

By amfnews

Related Post