Sun. Mar 8th, 2026

ତେଲ ନଦୀ ପୋଲଉପରୁ ତଳକୁ ଖସିପଡ଼ିଲା କୋଇଲା ବୋଝେଇ ଟ୍ରକ୍, ଡ୍ରାଇଭରଙ୍କର ମିଳୁନି ପତ୍ତା

209 Views

ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁଷୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ତେଲ ନଦୀ ପୋଲ ଉପରୁ ଏକ କୋଇଲା ବୋଝେଇ ଟ୍ରକ୍ ତଳକୁ ଖସି ପଡିଥିବା ଜଣାଯାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି କି ଭାରସାମ୍ୟ ହରାଇ ଟ୍ରକ୍ଟି ପୋଲ ବାଡ଼ ଭାଙ୍ଗି ବିଳମ୍ବିତ ରାତିରେ ତଳକୁ ଖସି ପଡ଼ିଯାଇଛି।ଆହୁରି ମଧ୍ୟ ସନ୍ଦେହ କରାଯାଉଛି ଯେ ଟ୍ରକର ବାମପଟ ଟାୟାର ଫାଟି ଯାଇଥିବାରୁ ତାହା ତଳକୁ ଖସିପଡ଼ିଥିଲା।

ଏହି ଟ୍ରକଟି ଏମ୍ ରାମପୁର (କଳାହାଣ୍ଡି)ରୁ କୋଇଲା ନେଇ ବଲାଙ୍ଗୀର ଆଡ଼କୁ ଆସୁଥିବା ଜଣାଯାଇଛି।ତେବେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହଁ । କୁହାଯାଉଛି ଯେ ଏଥିରେ କେହି ହେଲପର୍ ନଥିଲେ କେବଳ ଡ୍ରାଇଭର୍ ଟ୍ରକ ନେଇ ଆସୁଥିଲେ। ସେ ଟ୍ରକ୍ ଭିତରେ ଅଛନ୍ତି ନା ସୁରକ୍ଷିତ ଭାବେ ବାହାରି ପଳାଇଛନ୍ତି, ତାହା ଜଣାପଡ଼ିନାହିଁ।

ସ୍ଥାନୀୟ ଲୋକେ ଏସଂପର୍କରେ ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ହେଲେ ରାତିରେ ଡ୍ରାଇଭରଙ୍କୁ ପାଇ ନଥିଲେ।ଏବେ ବି ସେଠାରେ ଉଦ୍ଧାର କାମ ଜାରି ରହିଛି।

By amfnews

Related Post