ନୂଆଦିଲ୍ଲୀ : ଗୁରୁବାର ଦିନ ତିହାର ଜେଲ୍ ପ୍ରକୋଷ୍ଠରେ ଅନ୍ୟତମ ନିର୍ଭୟା ଦୋଷୀ ବିନୟ ଶର୍ମା ଷ୍ଟାପ୍ଲର୍ ପିନ୍ ଗିଳିବାକୁ ଉଦ୍ୟମ କରିଥିଲା। ଏହା ପରେ ଜେଲ୍ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇ ଜେଲ୍ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ବୋଲି ଜଣାପଡ଼ିଛି।
ପୂର୍ବରୁ ଫେବ୍ରୁଆରି ୧୬ ତାରିଖ ଦିନ ମଧ୍ୟ ବିନୟ ରହୁଥିବା ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ବାଡ଼େଇ ଆହତ ହୋଇଥିବା କଥା ଜେଲ୍ କର୍ତ୍ତୃପକ୍ଷ କହିଥିଲେ। ସଙ୍ଗେ ସଙ୍ଗେ ଜେଲ୍ କର୍ମଚାରୀମାନେ ତାଙ୍କୁ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଏବଂ ଅକ୍ଷୟ ସେମାନଙ୍କ ପରିବାର ବର୍ଗଙ୍କ ସହ ଶେଷ ଦେଖା କରି ନାହାନ୍ତି। ଫାଶୀ ପୂର୍ବରୁ ସେମାନେ କେବେ ନିଜ ନିଜର ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛନ୍ତି ତାହା ଜଣାଇବାକୁ ଜେଲ୍ କର୍ତ୍ତୃପକ୍ଷ ଶୁକ୍ରବାର ଦିନ ସେମାନଙ୍କୁ ଚିଠି ଲେଖିଛନ୍ତି।
ଅନ୍ୟ ଦୁଇ ଦୋଷୀ ମୁକେଶ ଓ ପବନ ଜାନୁଆରି ୩୧ ତାରିଖ ଦିନ ସେମାନଙ୍କ ପରିବାର ଲୋକଙ୍କ ସହ ଶେଷ ଦେଖା କରି ସାରିଛନ୍ତି। ଏହାଛଡ଼ା ସମସ୍ତଙ୍କ ପାଇଁ ସପ୍ତାହକୁ ଦୁଇ ଥର ନିୟମିତ ‘ମୁଲାକାତ୍’ ଜାରି ରହିଛି ବୋଲି ଜଣେ ବରିଷ୍ଠ ଜେଲ୍ କର୍ମଚାରୀ କହିଛନ୍ତି।