Sat. Mar 7th, 2026

ତିନିମୁହାଣି ଗୁଳିମାଡ଼ ଘଟଣା : ପୂର୍ବତନ କାଉନସିଲର ଗିରଫ

245 Views

କେନ୍ଦ୍ରାପଡ଼ା : ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମରକ୍ଷା ସେନାର ଜିଲ୍ଲା ମୁଖ୍ୟ ବିବେକାନନ୍ଦ ମହାରଣା(ବାବୁଲି)ଙ୍କୁ ଗୁଳିମାଡ଼ ଘଟଣାରେ ପୂର୍ବତନ କାଉନସିଲର ସେକ୍ ରହେମତ(ସାନ୍‌)ଙ୍କୁ ଗିରଫ କରି ପୁଲିସ୍‌ କୋର୍ଟଚାଲାଣ କରିଛି। ତାଙ୍କଠାରୁ ନଗଦ ୨୫ ହଜାର ଟଙ୍କା, ଗୋଟିଏ ମୋଟରସାଇକେଲ୍‌, ୨ଟି ମୋବାଇଲ୍‌ ଓ ୨ଟି ଏଟିଏମ୍‌ ଜବତ କରାଯାଇଛି।

ଗତକାଲି ପୁଲିସ୍‌ର ସ୍ବତନ୍ତ୍ର ସ୍କ୍ବାଡ୍‌ ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ପୁଲିସ୍‌ ‌ଦେଇଥିବା ସୂଚନା ଅନୁଯାୟୀ ବାବୁଲିଙ୍କ ଉପରକୁ ଗୁଳିକାଣ୍ତ ଘଟଣାରେ ଫେରାର ଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସେକ୍‌ ଜାନ୍‌ଙ୍କ ସହ ସାନ୍‌ ମୋବାଇଲ୍‌ ଫୋନରେ ନିୟମିତ କଥା ହୋଇ ଆସୁଥିଲେ। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା। ସାନ୍‌ଙ୍କ ମୋବାଇଲ କଲ୍‌ ରେକର୍ଡ଼ ଯାଞ୍ଚ କରିବା ପରେ ପୁଲିସ୍‌କୁ ଏହାର ପ୍ରମାଣ ମିଳିଥିଲା। ଏସ୍‌ପି ନିତି ଶେଖରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ସମସ୍ତ ତଥ୍ୟକୁ ଯାଞ୍ଚ କରିବା ପରେ ଗୁଳିକା‌ଣ୍ଡ ଘଟଣାର ଷଡ଼ଯନ୍ତ୍ରକାରୀ ଭାବେ ଗତକାଲି ସାନ୍‌ଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ସାନ୍‌ ପୁରୁଣା ମଟରଷ୍ଟାଣ୍ତ ବ୍ୟବସାୟୀ ସଂଘର ସଭାପତି ଥିବା ବେଳେ ବାବୁଲି ମଧ୍ୟ ତିନିମୁହାଣି ବ୍ୟବସାୟୀ ସଂଘର ସଭାପତି ଅଛନ୍ତି। ଏ ପର୍ଯ୍ୟନ୍ତ ପୁଲିସ୍‌ ଗୁଳିକାଣ୍ଡ ଘଟଣାରେ ସାର୍ପସୁଟର ସେକ୍ ମେହତାବ୍‌ଙ୍କ ସମେତ ବଡ଼ହାଟର କୋରେସି ମହଲାର ସେକ୍ ସାକିର, ଇନ୍ଦୁପୁରର ଆଲୋକ ମଲ୍ଲିକ, ଚାରିଗାଁର କାଳିଆ ଓରଫ୍ ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଠୀକୁ ଗିରଫ କରି ସାରିଛି। ଏହି ଘଟଣାରେ ସଂପୃକ୍ତ ଥିବା କୌଣସି ଅଭିଯୁକ୍ତକୁ ଛଡ଼ାଯିବ ନାହିଁ ବୋଲି ଆରକ୍ଷୀ ଅଧୀକ୍ଷକ ନିତି ଶେଖର କହିଛନ୍ତି।

By amfnews

Related Post