Sat. Mar 7th, 2026

ତିନି ଥର ଅଲିମ୍ପିକ୍ ସ୍ବର୍ଣ୍ଣପଦକ ଜିଣିଥିବା ହକି କିଂବଦନ୍ତି ବଲବୀର ସିଂହ ସିନିଅରଙ୍କର ୯୫ ବର୍ଷରେ ଦେହାନ୍ତ

285 Views

ନୂଆଦିଲ୍ଲୀ  : ଦୀର୍ଘ ଦିନ ଅସୁସ୍ଥ ରହିବା ପରେ  ବଲବୀର ସିଂହ ସିନିଅର୍ ଭାବେ ସୁପରିଚିତ ତିନି ଥର ଅଲିମ୍ପିକ୍ ସ୍ବର୍ଣ୍ଣପଦକ ଜିଣିଥିବା ହକି କିଂବଦନ୍ତି ବଲବୀର ସିଂହ ଦୋସାଞ୍ଝଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୋହାଲିସ୍ଥିତ ଫୋର୍ଟିଜ୍ ହସ୍ପିଟାଲ୍‌ର ନିର୍ଦେଶକ ଅଭିଜିତ ସିଂହ କହିଛନ୍ତି ଆଜି ସକାଳ ପ୍ରାୟ ୬: ୩୦ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି।

ମେ ୮ ତାରିଖ ଦିନ ୯୫ ବର୍ଷିୟ ବଲବୀର ସିନିଅରଙ୍କୁ ଫୋର୍ଟିଜ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମସ୍ତିଷ୍କରେ ରକ୍ତ ଜମାଟବାନ୍ଧିବା ଯୋଗୁଁ ମେ ୧୮ ତାରିଖରୁ ସେ ଅର୍ଦ୍ଧ-କୋମା ଅବସ୍ଥାରେ ଥିଲେ।

ଜାନୁଆରି ୨୦୧୯ରେ  ବଲବୀର ସିନିଅର୍ ୧୦୮ ଦିନ ଧରି ପିଜିଆଇ, ଚଣ୍ଡିଗଡ଼ରେ ଚିକିତ୍ସାଧୀନ ରହି ଘରକୁ ଫେରିଥିଲେ। ସେଠାରେ ତାଙ୍କର ବ୍ରୋଙ୍କିଆଲ୍ ନିମୁନିଆ ଚିକିତ୍ସା ହେଉଥିଲା।

ବଲବୀର ସିନିଅରଙ୍କର ସୁଶ୍‌ବୀର ନାମକ ଜଣେ କନ୍ୟା ଓ କନ୍‌ୱାଲ୍‌ବୀର, କରନ୍‌ବୀର ଏବଂ ଗୁରବୀର ନାମକ ତିନି ପୁଅ ଅଛନ୍ତି। ଆଧୁନିକ ଅଲିମ୍ପିକ୍ ଇତିହାସରେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଦ୍ବାରା ଚୟନ ହୋଇଥିବା ୧୬ କିଂବଦନ୍ତିଙ୍କ ମଧ୍ୟରେ ସେ ଥିଲେ ଜଣେ ମାତ୍ର ଭାରତୀୟ।

ଅତୁଳନୀୟ ଫର୍‌ୱାର୍ଡ ଖେଳାଳି  ବଲବୀର ସିନିଅର୍ ୧୯୪୮, ୧୯୫୨ ଏବଂ ୧୯୫୬ କ୍ରୀଡ଼ାରେ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ପାଇଥିଲେ। ୧୯୭୫ରେ ମାଲେସିଆରେ ବିଶ୍ବକପ୍ ଜିଣିଥିବା ଭାରତୀୟ ହକି ଦଳର ସେ ଥିଲେ ପ୍ରଶିକ୍ଷକ।

ଅଲିମ୍ପିକ୍ କ୍ରୀଡ଼ାର ହକି ଫାଇନାଲ୍‌ରେ ସେ ବ୍ୟକ୍ତିଗତ ଭାବେ ଦେଇଥିବା ଗୋଲ୍ ସଂଖ୍ୟାର ରେକର୍ଡ ଏବେ ମଧ୍ୟ ଅପରାଜେୟ ହୋଇ ରହିଛି।

ହକି କିଂବଦନ୍ତି  ବଲବୀରଙ୍କୁ ୧୯୫୭ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ହକି ଇଣ୍ଡିଆ ପ୍ରଦତ୍ତ ମେଜର୍ ଧ୍ୟାନ ଚାନ୍ଦ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ ମିଳିଥିଲା।

By amfnews

Related Post