Sat. Mar 7th, 2026

ତିତ୍‌ଲିରେ ନିଖୋଜ ଝିଅର ମୃତଦେହ ମିଳିଲା, ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି ୧୨ କିମି ହସ୍ପିଟାଲ ଚାଲିଲେ ବାପା

209 Views

ପାରଳାଖେମୁଣ୍ଡି: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଯୋଗୁଁ ହଜାର ହଜାର ପରିବାରର ଜୀବନଶୈଳୀ ବର୍ବାଦ ହୋଇଛି। ଭୟଙ୍କର ପବନରେ ନିଖୋଜ ଜଣେ ଝିଅର ମୃତଦେହ ମିଳିବା ପରେ ବାପା ମୁକୁନ୍ଦ ଦୋରା ୧୨ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲ ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମୁକୁନ୍ଦ ଗୁରୁବାର ନିଜ ଝିଅର ମୃତଦେହକୁ ଗାଁ ପାଖ ନାଳରୁ ଠାବ କରିଥିଲେ। ପରିତାପର ବିଷୟ ଯେ, ପ୍ରଶାସନକୁ ଖବର ମିଳିଥିଲେ ବି କୌଣସି ଅଧିକାରୀ ପହଞ୍ଚି ନଥିଲେ। ଫଳରେ ମୁକୁନ୍ଦଙ୍କୁ ଝିଅର ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନେବାକୁ ପଡ଼ିଛି।

ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷ ଜମି, ଫସଲ ଉଜୁଡ଼ି ଯାଇଥିବା ବେଳେ ଯାତାୟତ ପାଇଁ ବ୍ୟବହୃତ ସଡ଼କ ପଥ ବନ୍ୟା ପାଣିରେ ଧୋଇ ହୋଇଯାଇଛି।

ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଯୋଗୁଁ ରାଜ୍ୟରେ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିଭଳି ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକିୟା ଜାରି ରହିଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ସଚିବ କହିଛନ୍ତି, ତିତ୍‌ଲି ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣ, ଗଞ୍ଜାମ ଜିଲ୍ଲାରେ ୧୨ ଜଣ ଓ କନ୍ଧମାଳ ଜିଲ୍ଲାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି। ପାଢ଼ୀ କହିଛନ୍ତି, ବାତ୍ୟା ଓ ବନ୍ୟା ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ୨୨ ଶହ କୋଟି ଟଙ୍କା କ୍ଷତି ହୋଇଛି। ରାସ୍ତାଘାଟ କ୍ଷତିର ପରିମାଣ ପ୍ରାୟ ୫୦୦ କୋଟି ଟଙ୍କା ହେବ। ସେହିଭଳି ବିଦ୍ୟୁତ ବିଭାଗର ୧୩୩ କୋଟି ଟଙ୍କା କ୍ଷତି ହୋଇଛି। ଘର ନଷ୍ଟ ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି।

By amfnews

Related Post