Thu. Dec 26th, 2024

ତାଳଚେର-ବିମଳାଗଡ଼ ରେଳପଥ ସଂଯୋଗ ପାଇଁ ଦାବି

By amfnews Oct 17, 2018 #Featured
136 Views

ରାଉରକେଲା, ୧୭ା୧୦  : ସଚେତନ ନାଗରିକ ମଞ୍ଚ ରାଉରକେଲା ପକ୍ଷରୁ ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ଲୋହିଆ ଏକାଡେମୀ ଠାରେ ବ୍ରାହ୍ମଣୀ ବଞ୍ଚାଅ ଓ ତାଳଚେର-ବିମଳାଗଡ଼ ରେଳପଥ ସଂଯୋଗୀକରଣ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି ଡ଼. ଭାବଗ୍ରାହୀ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶରତ କର, ଭାଗବତ ମହାନ୍ତି, ପଞ୍ଚାନନ କାନୁନ୍ଗୋ, ରାମକୃଷ୍ଣ ପଟ୍ଟନାୟକ ତଥା ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ବର୍ଷିଆନ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଏବେ ବ୍ରାହ୍ମଣୀ ନଦୀ ଅବବାହିକାରେ ବସବାସ କରୁଥିବା ୨ କୋଟିରୁ ଊଦ୍ଧ୍ୱର୍ ଜନସାଧାରଣ କିଭଳି ପାନୀୟଜଳ ସଙ୍କଟଠାରୁ ଆରମ୍ଭ କରି ଜଳ ଜନିତ ସମସ୍ୟାରେ ଜର୍ଜରିତ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀ ନଦୀ ଉପରେ ଯେଉଁ ବ୍ୟାରେଜ୍ ନିର୍ମାଣ କରୁଛନ୍ତି, ସେଥିପ୍ରତି ଉଦାସୀନ ମନୋଭାବ ପୋଷଣ କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ରାଜ୍ୟ ସରକାର ମହାନଦୀ ପାଇଁ ତାଙ୍କର ସ୍ୱର ଯେଭଳି ଶାଣିତ କରୁଛନ୍ତି ବ୍ରାହ୍ମଣୀ ପ୍ରତି ସେଭଳି ଗୁରୁତ୍ୱ ଦେଉନାହାନ୍ତି ।

ଏହା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟର ମୋଟ ୧୦ଟି ଜିଲ୍ଲାର ଅଧିବାସୀମାନେ ଯେଉଁ ବ୍ରାହ୍ମଣୀର ଜଳ ପାନ କରୁଛନ୍ତି, ତାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଛି । ଏଥିପ୍ରତି ସରକାର ଆଖି ବୁଜି ଦେଉଛନ୍ତି ବୋଲି ମତପ୍ରକାଶ ପାଇଥିଲା । ସେହିଭଳି ତାଳଚେର-ବିମଳାଗଡ଼ ରେଳପଥ ଯାହାକି ପରାଦୀପ ବନ୍ଦରକୁ ଆଖି ଆଗରେ ରଖି ନିର୍ମାଣ କରାଯିବା ପାଇଁ ଗତ ୫୦ ବର୍ଷ ତଳେ ଦାବି କରାଯାଇଥିଲା ତାହା ଅତ୍ୟାବଧି ଏକ ସ୍ୱପ୍ନ ଭାବେ ରାଜ୍ୟବାସୀଙ୍କ ପାଖରେ ଠିଆ ହୋଇଛି ।

ରାଜ୍ୟ ଏବଂ କେନ୍ଦ୍ର ସରକାର କେବଳ ଭୋଟ୍ ସର୍ବସ୍ୱ ରାଜନୀତିରେ ରାଜ୍ୟର ବୃହତ ସ୍ୱାର୍ଥକୁ ଜଳଞ୍ଜଳି ଦେଉଛନ୍ତି । ବରିଷ୍ଠ ରାଜନେତା ଭାଗବତ ପ୍ରସାଦ ମହାନ୍ତି ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିବା ବେଳେ ‘ଉକ୍ରଳ ମେଲ’ ସମ୍ପାଦକ ତଥା ସଚେତନ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ଡ. ପୀତବାସ ମିଶ୍ର, ସାଧାରଣ ସମ୍ପାଦକ ପି.ପି. ରାୟ ଯଥାକ୍ରମେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଉପସଭାପତି ଜଗବନ୍ଧୁ ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁଖପାତ୍ର ଜଟାଧାରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଡା. ରାହାସ ବିହାରୀ ମହାପାତ୍ର, ଆଲୋକ କୁମାର ଦାସ, ଭରତ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସେନଗୁପ୍ତ, ଗୋପବନ୍ଧୁ ମହାପାତ୍ର, ନାରାୟଣ ସାହୁ, ଏଆଇସିସି ସଦସ୍ୟ ରାଜକୁମାର ଯାଦବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ପ୍ରସଙ୍ଗରେ ବ୍ୟାପକ ଜନଆନ୍ଦୋଳନ କରାଯିବା ପାଇଁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

By amfnews

Related Post