Thu. Mar 13th, 2025

ତାଳଚେର ବିଧାୟକଙ୍କ କାର୍ ପୋଡ଼ି ଘଟଣାରେ ଦୁଇ ବିଜେପି କର୍ମୀଙ୍କୁ ଗିରଫ କରିଲା ପୁଲିସ

By amfnews Dec 15, 2019 #Featured
126 Views

ଅନୁଗୁଳ : ଗତ ୭ ତାରିଖ ରାତିରେ ଘଟିଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍ ପୋଡ଼ି ଘଟଣାରେ ପୁଲିସ ଦୁଇଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ହୋଇଥିବା ଦୁଇଜଣଙ୍କ ନାମ ହେଲା ସ୍ୱାଧୀନ ଥମ୍ବ ଓ ଜିତେନ୍ ମହାନ୍ତି । ସ୍ୱାଧୀନ ଯୁବ ସମାଜସେବୀ ସଂଗଠନର ସଭାପତି ଓ ଜିତେନ୍ ସମ୍ପାଦକ ଅଛନ୍ତି। ତେବେ କେଉଁ କାରଣରୁ ଏ ଦୁହେଁ ଗାଡ଼ି ପୋଡ଼ିଥିଲେ ତାହା ଜଣାପଡ଼ିନାହିଁ।

ସୂଚନା ଯୋଗ୍ୟ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗତ ୭ ତାରିଖ ଦିନ ତାଙ୍କର ଜଣେ ସଂପର୍କୀୟଙ୍କ ଝିଅର ବିବାହ ଉତ୍ସବରେ ଯୋଗ ଦେବା ଲାଗି କର୍ଣ୍ଣପୁର ଗାଁକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୨ ଟାରେ ଫେରି ସେ ଭରତପୁର ପାଖ ନନ୍ଦିରାରେ ଥିବା ତାଙ୍କ କ୍ୟାମ୍ପ ଅଫିସ୍କୁ ଶୋଇବାକୁ ଯାଇଥିଲେ। ଗୋଟିଏ କୋଠରିରେ ବିଧାୟକ ଓ ଅନ୍ୟ କୋଠରିରେ ଗାଡ଼ିଚାଳକ ମାନସ ସାହୁ ଶୋଇଥିଲେ।

ବାହାରେ ଏକ ଫର୍ଚ୍ୟୁନର୍ କାର୍(ଓଡି୩୩ଏଲ-୩୭୧୧) ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଆମ୍ବୁଲାନ୍ସ ଗାଡ଼ି ପାର୍କିଂ ଅଂଚଳରେ ରଖାଯାଇଥିଲା। ଉକ୍ତ କାର୍ଟି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ନାମରେ ରହିଥିବା ବେଳେ ବିଧାୟକ ଶ୍ରୀ ପ୍ରଧାନ ଏହାକୁ ବ୍ୟବହାର କରୁଥିଲେ। ରାତି ପ୍ରାୟ ୨ଟା ବେଳେ ବାଣ ଫୁଟିବା ଭଳି ଶବ୍ଦ ଶୁଣି ବିଧାୟକ ଉଠି ପଡ଼ି ବାହାରକୁ ଆସିବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ବାହାର ପଟୁ କବାଟର ଶିକୁଳି ଦେଇଥିବାରୁ ସେ ଆଉ ବାହାରି ପାରିନଥିଲେ। ପାଖ କୋଠରିରେ ଶୋଇଥିବା ଗାଡ଼ିଚାଳକ ମାନସଙ୍କୁ ଫୋନ କରି ବିଧାୟକ ଉଠାଇଥିଲେ। ମାନସଙ୍କ କୋଠରିର କବାଟ ବି ବାହାର ପଟୁ ବନ୍ଦ ଥିବାରୁ ସେ ମଧ୍ୟ ବାହାରକୁ ଆସିବାକୁ ସକ୍ଷମ ହୋଇନଥିଲେ।

ଅନ୍ୟ ଉପାୟ ନପାଇ ଶ୍ରୀ ପ୍ରଧାନ ଜଗନ୍ନାଥ କଲୋନିରେ ରହୁଥିବା ଜଣେ ଘନିଷ୍ଠ ସମର୍ଥକଙ୍କୁ ଫୋନ୍ କରିବା ପରେ ସେ ଆସି କବାଟ ଖୋଲିଥିଲେ। ସେତେବେଳକୁ କାର୍ ଓ ଆମ୍ବୁଲାନ୍ସ ଗାଡ଼ି ହୁତ୍ହୁତ୍ ହୋଇ ଜଳୁଥିଲା। ଏଥିରେ କାର୍ର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଆମ୍ବୁଲାନ୍ସ ବି ୬୦ ପ୍ରତିଶତ ପୋଡ଼ିଯାଇଥିଲା।ଘଟଣା ସଂପର୍କରେ ଗାଡ଼ିଚାଳକ ମାନସ ସାହୁ ବିକ୍ରମପୁର ଥାନାରେ ଏତଲା ଦେଇଥିଲେ।

By amfnews

Related Post