Sat. Mar 7th, 2026

ତାମିଲନାଡୁ ବର୍ଷା: କୋଇମ୍ବାଟୁର୍‌ରେ ଘର ଭାଙ୍ଗି ୧୫ ମୃତ

175 Views

କୋଇମ୍ବାଟୁର୍‌: ସୋମବାର ପ୍ରତ୍ୟୁଷରେ ମେଟ୍ଟୁପାଲୟମ୍‌ ନିକଟବର୍ତ୍ତୀ ନାଦୁର ଗାଁ ଓ ଆଖପାଖ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଢାଳିବାରୁ ଗୋଟାଏ ଘର ଭୁଶୁଡ଼ି ପଡ଼ି ଦୁଇ ଜଣ ପିଲାଙ୍କ ସମେତ ଅନ୍ୟୂନ ୧୫ ଜଣ ଲୋକ ପୋତି ହୋଇପଡ଼ିଛନ୍ତି। ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଶବଗୁଡ଼ିକୁ ବାହାର କରି ମେଟ୍ଟୁପାଲୟମ୍‌ ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି।

ଲୋକେ ଶୋଇଥିବା ବେଳେ ପ୍ରବଳ ବର୍ଷା ଫଳରେ ଭୋର୍‌ ୫: ୩୦ ମିନିଟ୍‌ରେ ଘରଟିର ଟାଇଲ ଛପର ଭୁଶୁଡ଼ି ପଡ଼ି କାନ୍ଥ ଭାଙ୍ଗିପଡ଼ିଥିଲା। ପୁଲିସ କହିବା ଅନୁସାରେ ସେଠାରେ ଚାରିଟି ଟାଇଲ ଛପର ଘର ଥିଲା। ଏହାଛଡ଼ା ଗୋଟାଏ ୨୦ ଫୁଟ୍‌ ଉଚ୍ଚ ହତା ମଧ୍ୟ ସେ ଘର ଉପରକୁ ଭାଙ୍ଗି ପଡ଼ିଛି।
ଭଗ୍ନାଂଶ ତଳେ ଅନ୍ୟୂନ ୧୫ ଜଣ ଲୋକ ପୋତି ହୋଇ ପଡ଼ିଥିବା କଥା ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇର ଘରେ ଘରେ ପାଣି ପଶିଥିବାର ଖବର ଆସୁଛି। ବର୍ଷା ଯୋଗୁଁ ସମଗ୍ର ତାମିଲନାଡୁ ଓ ପୁଦ୍ଦୁଚେରୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି।ତାମିଲନାଡୁର ଏରୋଡ଼ ଜିଲ୍ଲାସ୍ଥିତ ଲୋଅର ଭବାନୀ ଜଳଭଣ୍ଡାର ପୂରି ଉଠୁଥିବାରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି।

By amfnews

Related Post