109 Views
ନୂଆଦିଲ୍ଲୀ, ନଭେମ୍ବର ୧୬ : ଘୂର୍ଣ୍ଣିଝଡ ଗାଜା ଆଜି ସକାଳେ ନାଗପଟ୍ଟିନମ ଏବଂ ବେଦାରଣ୍ୟମ ମଧ୍ୟରେ ତାମିଲନାଡୁ ଉପକୂଳ ଦେଇ ଗତି କରିଛି । ସେହି ସମୟରେ ଘଂଟା ପ୍ରତି ୧୨୦କିଲୋମିଟର ବେଗରେ ପବନ ବହୁଥିଲା । ଘୂର୍ଣ୍ଣିଝଡ ଉପକୂଳ ଛୁଇଁବା ପରେ କଡଲୂର, ନାଗପଟ୍ଟିନମ, ଥୋଣ୍ଡି, ପମ୍ବନ ତଥା କରାଇକଲ ଏବଂ ପଣ୍ଡିଚେରୀରେ ୩ରୁ ୮ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବା ସୂଚନା ମିଳିଛି ।
ଚେନ୍ନାଇ ପାଣିପାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ସାଢେ ପାଂଚଟା ପର୍ଯ୍ୟନ୍ତ କଡଲୂରରେ ୮ସେମିର ବର୍ଷା ହୋଇଥିବା ସମୟରେ ନାଗପଟ୍ଟିନମରେ ୫ସେମି, ପଣ୍ଡିଚେରୀ ଏବଂ କୋରାଇକଲରେ ୫ସେମିର ବୃଷ୍ଟିପାତ ହୋଇଛି । ତଳିଆ ଅଂଚଳର ୭୬,୨୯୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି । କଡଲୁର, ନାଗପଟିନମ, ପୁଦୁକୋଟଇ, ରାମନାଥପୁରମ, ତିଋବଋର, ତଞ୍ଜାବୁରରେ ସ୍ଥାପିତ ୪୭୧ଟି ରିଲିଫ୍ ଶିବିରରେ ବର୍ତମାନ ୮୧,୯୪୮ ଲୋକ ରହୁଛନ୍ତି ।
ସୂଚନାଯୋଗ୍ୟ, ଘୂର୍ଣ୍ଣିଝଡ ସ୍ଥଳଭାଗ ଛୁଇଁବା ପରେ ଅତିରାମପଟିନମରେ ପବନର ବେଗ ଘଂଟା ପ୍ରତି ୧୧୭ କିମି ଥିଲା ଏବଂ ନାଗପାଟନମରେ ୧୦୦ କିମି ବେଗରେ ପବନ ବହୁଥିଲା । ତେବେ ଆଗାମୀ ୬ଘଂଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।