Fri. Nov 29th, 2024

ଡେରାବିଶ ନଳକୂପ ଦୁର୍ନୀତି ମାମଲା : ଖସି ଯିବାକୁ ପୁଲିସ ଦେଉଛି ସୁଯୋଗ!

By amfnews Nov 24, 2019 #Featured
168 Views

କେନ୍ଦ୍ରାପଡ଼ା : ଆଇପିସିର ଦଫା ୪୨୦ରେ ରୁଜୁ ହୋଇଛି ମାମଲା। ମାମଲାରେ ଅଭିଯୁକ୍ତଙ୍କୁ ସାତ ବର୍ଷ ଯାଏ ଜେଲ୍‌ , ଜରିମାନା ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ ମାମଲା ରୁଜୁର ପାଞ୍ଚ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଡେରାବିଶ ବ୍ଲକ୍ ନହଙ୍ଗ ପଞ୍ଚାୟତ ନଳକୂପ ଦୁର୍ନୀତିରେ ଫସିଥିବା କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ର ଓ ସରପଞ୍ଚ ଉମାକାନ୍ତ ନାୟକଙ୍କ ବିରୋଧରେ ପୁଲିସର ଏ ପ୍ରକାର ଶିଥିଳ ତଦନ୍ତକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। ତଦନ୍ତ ନାଁରେ ସମୟ ଗଡ଼ାଇ ଉଭୟ ଅଭିଯୁକ୍ତଙ୍କୁ ଖସିଯିବା ପାଇଁ ପୁଲିସ ସୁଯୋଗ ଦେଉଥିବା ଅଭିଯୋଗ ହେଉଛି। ସେପଟେ ପୁଲିସର ଏ ପ୍ରକାର ନିଷ୍କ୍ରିୟତାର ସୁଯୋଗ ନେଇ ଉଭୟ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ପରୋକ୍ଷରେ କେବଳ ପୁଲିସର ଶିଥିଳ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲଗାଉ ନାହିଁ; ବରଂ ଅଭିଯୁକ୍ତଙ୍କ ପ୍ରତି ଥିବା କୋହଳ ମନୋଭାବକୁ ସୂଚାଉଛି।

ଉଲ୍ଲେଖଯୋଗ୍ୟ, ନହଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀ ନାୟକଙ୍କ ବାଡ଼ିରେ ୨ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ସରକାରୀ ନଳକୂପ ବସିଥିବାର ପ୍ରମାଣ ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଦେହୁରୀ ନିକିରେଇ ଥାନାରେ ଏତଲା ଦେଇଥିଲେ। ନିକିରେଇ ଥାନାରେ ଉଭୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ର ଏବଂ ସରପଞ୍ଚ ଶ୍ରୀ ନାୟକଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ପୁଲିସ ଉଭୟଙ୍କ ନାଁରେ ଦଫା ୪୨୦ (ଠକେଇ/ଚଞ୍ଚକତା) ଏବଂ ଆଇପିସି ୩୪ (ମିଳିତ ଭାବେ କୌଣସି ଅପରାଧ କରିବା)ରେ ମାମଲା (କେସ୍‌ ନଂ୧୧୨/୧୯) ରୁଜୁ କରିଥିଲା। ପୁଲିସ ମାମଲା ରୁଜୁ କରିବା ପରେ ଉଭୟ ଯନ୍ତ୍ରୀ ଓ ସରପଞ୍ଚ ଫେରାର୍ ହୋଇଯାଇଥିଲେ। ଗତ ୧୯ ତାରିଖରେ ନହଙ୍ଗସ୍ଥିତ ସରପଞ୍ଚଙ୍କ ଘରକୁ ଯାଇଥିଲେ ବି ସେ ନଥିଲେ ବୋଲି ପୁଲିସ କହିଥିଲା। ଅନୁରୂପ ଭାବେ ମାମଲା ପରେ ଡେରାବିଶ ବ୍ଲକ୍ ଅଫିସ୍‌କୁ କନିଷ୍ଠ ଯନ୍ତ୍ରୀ ଆସୁନଥିବା ବିଡିଓ କହିଥିଲେ।

ଏଭଳି ସ୍ଥିତିରେ ମାମଲା ରୁଜୁକୁ ୫ ଦିନ ବିତିଯାଇଥିଲେ ବି ପୁଲିସର ତଦନ୍ତ ଆଗକୁ ବଢ଼ିପାରୁନାହିଁ। ଉଭୟ ଫେରାର୍‌ ଥିବା ଦର୍ଶାଇ ପୁଲିସ ତାର କାମ ସାରିଦେଇଛି। ଏଣେ ସରପଞ୍ଚ ଶ୍ରୀ ନାୟକ ଓ ଯନ୍ତ୍ରୀ ଶ୍ରୀ ମହାପାତ୍ର ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ୨୧ତାରିଖରେ ଶ୍ରୀ ନାୟକ ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ୨୨ ତାରିଖରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ର ଆଗୁଆ ଜାମିନ ଆବେଦନ କରିଛନ୍ତି। ପୁଲିସ ତଦନ୍ତ ନାଁରେ ସମୟ ଗଡ଼ାଇ ଜାଣିଶୁଣି ଉଭୟଙ୍କୁ ଜାମିନ୍‌ରେ ଖସିଯିବା ପାଇଁ ସୁଯୋଗ ଦେଉଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ନିକିରେଇ ଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି ଯେ ତଦନ୍ତ ଚାଲିଛି। ଗିରଫ ପାଇଁ ପୁଲିସ ସରପଞ୍ଚଙ୍କ ଘରକୁ ତିନି ଥର ଯାଇଛି। କିନ୍ତୁ ସେ ଘରେ ନ ଥିଲେ। ଯନ୍ତ୍ରୀଙ୍କ ଘର ବାରିପଦା ହୋଇଥିବାରୁ ସେଠାକୁ ଯାଇ ହୋଇନାହିଁ। ମାତ୍ର ଅଫିସ୍‌ ସହିତ ଯୋଗାଯୋଗରେ ଅଛୁ। ସେ ଅଫିସ୍‌ ଆସୁ ନାହାନ୍ତି। ଉଭୟଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଥିବା ଶ୍ରୀ ବାରିକ ସୂଚନା ଦେଇଛନ୍ତି।

By amfnews

Related Post