Wed. Jan 15th, 2025

ଡିସେମ୍ବର ୧୪ରୁ ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌ : ପ୍ରକୃତି କୋଳରେ ବିତିବ ରାତି

By amfnews Nov 25, 2019 #Featured
130 Views

ଭୁବନେଶ୍ବର : ପ୍ରକୃତି କୋଳରେ ମିଳିବ ପଞ୍ଚ-ତାରକା ହୋଟେଲ୍‌ର ଅନୁଭବ। ଦୁଃସାହସିକ କ୍ରୀଡ଼ା ସାଙ୍ଗକୁ ଜଳକ୍ରୀଡ଼ାରେ ମଜିଯିବାର ସୁଯୋଗ ଦେବ ସୁରମ୍ୟ ବେଳାଭୂମି। ସଂଗୀତ କନସର୍ଟରେ ଭିଜିବ ତନ ଓ ମନ। ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ଦେଶୀ ଖାଦ୍ୟରେ ଆପ୍ୟାୟିତ ହେବାର ଅବସର ଜୁଟିବ। କୋଣାର୍କସ୍ଥିତ ରାମଚଣ୍ଡୀ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଥିବା ‘ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌’ ଏମିତି ଏକ ଅବକାଶ ଭେଟିଦେବ। ପ୍ରଥମ ଥର ପାଇଁ ଡିସେମ୍ବର ୧୪ରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ମାସେ କାଳ ଏମିତି ଏକ ନିଆରା ଅନୁଭବ ଭେଟିଦେବ ରାଜ୍ୟ ପର୍ଯ୍ୟଟନ ବିଭାଗ। ପରିବେଶ କୋଳରେ ରାତି କଟାଇବା ସହ ସୁସ୍ବାଦୁ ଖାଦ୍ୟ, ଦିବ୍ୟ ଭ୍ରମଣ, ଐତିହ୍ୟ ସ୍ଥଳ ଦର୍ଶନ ସମେତ କଳିଙ୍ଗ ସ୍ଥାପତ୍ୟର ଅକୁହା କଥାକୁ ଉପଲବ୍ଧି କରିବାର ସୁଯୋଗ ଦେବ ଏହି ଇକୋ-ରିଟ୍ରିଟ୍‌। ଗୁଜୁରାଟ‌ରେ ରାନ୍ ଅଫ୍ କୁଚ୍‌ ପର୍ବ ଭଳି ଓଡ଼ିଶାର ଇକୋ-ରିଟ୍ରିଟ୍‌ରେ ଏପରି ସୁଯୋଗ ମିଳିବ।

ଚିରାଚରିତ ଜୀବନର କୋଳାହଳରୁ ବିରାମ ନେଇ କ୍ଷଣେ ପ୍ରକୃତି କୋଳରେ ବିତାଇବାକୁ ଇଚ୍ଛା ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିବ। ରାମଚଣ୍ଡୀ ବେଳାଭୂମିରେ ଏଥିପାଇଁ ୫୦ଟି ଅସ୍ଥାୟୀ ବିଳାସପୂର୍ଣ୍ଣ କୁଟୀର ନିର୍ମାଣ କରାଯିବ। ମୁଖ୍ୟତଃ ୪ଟି ଶ୍ରେଣୀରେ ଏହି ଅସ୍ଥାୟୀ ବିଳାସପୂର୍ଣ୍ଣ କଟେଜ୍‌ ତଥା କୁଟୀର ଉପଲବ୍ଧ ହେବ। ଡିଲକ୍ସ, ପ୍ରିମିୟମ, ରୟାଲ ଓ ପ୍ରେସିଡେନ୍‌ସିଆଲ୍‌ କୁଟୀରରେ ରହିବା ପାଇଁ ବୁକିଂ କରି ହେବ। ୯ ହଜାର ଟଙ୍କାରୁ ନେଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଅସ୍ଥାୟୀ କୁଟୀରଗୁଡ଼ିକୁ ବୁକିଂ କରିହେବ। ଗୋଟେ କୁଟୀରରେ ଅନ୍ୟୂନ ୨ ଜଣଙ୍କ ସମେତ ଜଣେ ପିଲା ରହିପାରିବେ। ଏହାଠୁ ଅଧିକ ବ୍ୟକ୍ତି ରହିଲେ, ଅଧିକ ଦେୟ ରଖାଯାଇଛି। ଅସ୍ଥାୟୀ ଶିବିର ଆପଣଙ୍କୁ ମହଲର ଅନୁଭବ ଦେବା ସହ ଏହା ମଧ୍ୟରେ ଏସି, ଟିଭି, ସୋଫା ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିବ।

କେବଳ ଐତିହ୍ୟ ଓ ବେଳାଭୂମିର ସୌନ୍ଦର୍ଯ୍ୟ ନୁହେଁ, ବରଂ ଜଳକ୍ରୀଡ଼ାର ଅନୁଭବ ମଧ୍ୟ ନେଇପାରିବେ ପର୍ଯ୍ୟଟକ। ଏହାଛଡ଼ା ପାରା ମୋଟରିଂ, ଏଟିଭି, ରାଇଫଲ୍‌ ସୁଟିଂ, ସାଇକେଲ୍‌ ଯାତ୍ରା, ବିଚ୍‌ ଭଲିଭଲ୍‌, ଜର୍ବିଂ, ଟ୍ରାମ୍ପୋଲାଇନ୍‌, ଜେଟ୍‌ ସ୍କାଏ, ବାନାନା ରାଇଡ୍‌, ୱିଙ୍ଗ୍‌ ପାରା ସିଲିଂ, ସ୍ପିଡ୍‌ ବୋଟିଂ, ୱାଟର ରୋଲର ଜଳକ୍ରୀଡ଼ା ଉପଭୋଗର ବି ସୁଯୋଗ ଦେବ ଏହି ମାସିକିଆ କାର୍ଯ୍ୟକ୍ରମ। ବେଳାଭୂମିରେ ସ୍ପା’ର ମଜା ନେବାକୁ ବି ସୁଯୋଗ ମିଳିବ।

ଏଥିସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଖଣ୍ଡଗିରି-ଦୟଗିରି ଗୁମ୍ଫା, ଚିଲିକା, ପିପିଲି, ରାଜାରାଣୀ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ଧଉଳି ଶାନ୍ତିସ୍ତୂପ, ବାଲୁଖଣ୍ଡ ବନ୍ୟଜନ୍ତୁ, ରଘୁରାଜପୁର, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ବୁଲି ଦେଖିବାର ସୁଯୋଗ ପାଇପାରିବେ ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନର ୱେବ୍‌ସାଇଟ୍‌କୁ ଯାଇ ‌ଲୋକେ କଟେଜ୍‌ ବୁକିଂ କରିପାରିବେ।

By amfnews

Related Post