Sun. Mar 8th, 2026

ଟ୍ରେନ୍‌ରେ ଲୁଟ୍‌ର ଶିକାର ହେଲେ ୩ ବିଧାୟକ, ବିଧାନସଭା ବାଚସ୍ପତି ଦେଲେ ଯାଞ୍ଚର ଆଦେଶ

200 Views

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ମୁମ୍ବାଇ ଆସୁଥିବା ତିନିଜଣ ବିଧାୟକ ଲୁଟ ଓ ଚୋରିର ଶିକାର ହୋଇଛନ୍ତି। ବିଶେଷ କଥା ହେଉଛି କି ଏହି ତିନିଜଣ ବିଧାୟକ ଏକ୍ସପ୍ରେସ୍‌ ଟ୍ରେନ୍‌ର ସ୍ୱତନ୍ତ୍ର ଏସି ବଗିରେ ବସି ମୁମ୍ବାଇ ଆସୁଥିଲେ। ଏହି ଲୁଟ ଘଟଣାକୁ ନେଇ ଛତ୍ରପତି ଶିବଜୀ ଟର୍ମିନସ୍‌ ରେଲେଓ୍ଵ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରାଯାଇଛି। ମାମଲା ବିଧାନସଭାରେ ଉଠା ଯିବା ପରେ ବିଧାନସଭା ଅଧ୍ୟକ୍ଷ ହରିଭାଉ ବାଗଡେ ଏହାର ଯାଞ୍ଚ ଆଦେଶ ଦେଇଛନ୍ତି।

ରବିବାର କଂଗ୍ରେସ ବିଧାୟକ ରାହୁଲ ବୋନ୍ଦ୍ରେ ବୁଲଧାନାରୁ ନିଜ ପତ୍ନୀ ବୃଷାଳି ବୋନ୍ଦ୍ରେଙ୍କ ସହିତ ମଲକାପୁର ଷ୍ଟେସନ୍‌ରୁ ବିଦର୍ଭ ଏକ୍ସପ୍ରେସ୍‌ ଧରିଥିଲେ। ସୋମବାର ସକାଳ ୭ଟାରେ ବିଧାୟକ ବୋନ୍ଦ୍ରେ କଲ୍ୟାଣ ଷ୍ଟେସନ୍‌ରେ ଓହ୍ଲାଇବାର ଥିଲା। ଏହି ସମୟରେ ବିଧାୟକଙ୍କ ପତ୍ନୀଙ୍କ ମନିପର୍ସ ଚୋରାଇ ଚୋର ଫେରାର ହୋଇଯାଇଥିଲା। ବିଧାୟକ ବୋନ୍ଦ୍ରେ ଚୋରର ପିଛା ବି କରିଥିଲେ କିନ୍ତୁ ଚୋର ଫେରାର ହେବାରେ ସଫଳ ରହିଥିଲା। ବୋନ୍ଦ୍ରେ ପତ୍ନୀଙ୍କ ପର୍ସରେ ୨୬,୦୦୦ ନଗଦ ଟଙ୍କା ସହିତ ଏଟିଏମ୍‌ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଥିଲା।

ସେହିପରି ରବିବାର ରାତିରେ ଶିବସେନାର ବିଧାୟକ ସଞ୍ଜୟ ବି ରାୟମୁଲକର ଓ ଶଶିକାନ୍ତ ଖେଡେକର ଜାଲନାରୁ ଦେବଗିରି ଏକ୍ସପ୍ରେସ୍‌ ଟ୍ରେନ୍‌ ଧରିଥିଲେ। ରାୟମୁଲକର ସକାଳେ ଶୋଇକି ଉଠିବା ପରେ ତାଙ୍କ ପାଖରେ ଥିବା ଫୋନ୍‌ ଓ ପର୍ସ ଗାଏବ ଥିଲା। ପର୍ସରେ ପାଖାପାଖି ୧୦,୦୦୦ଟଙ୍କା ଥିଲା। ଏହାବ୍ୟତୀତ ଖେଡେକରଙ୍କ ବ୍ୟାଗ ବି ଚୋର ବ୍ଲେଡ୍‌ରେ କାଟି ଦେଇଥିଲା।

By amfnews

Related Post