Sun. Mar 8th, 2026

ଟ୍ରେନ୍‌ରୁ ଖସିପଡ଼ି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ ମୃତ

260 Views

ଅନଗୁଳ, ଡିସେମ୍ବର ୧୦: ରବିବାର ଦିନ ଟ୍ରେନ୍‌ରୁ ଖସିପଡ଼ି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

୮୫ ବର୍ଷିୟ ରାଜକିଶୋର ରବିବାର ଦିନ ପ୍ରାୟ ୧୧ଟା ସମୟରେ ବାହାରେ ଟିକେ ବୁଲାବୁଲି କରିବାକୁ ଘରୁ ବାହାରିଥିଲେ। ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ବିତିଯିବା ସତ୍ତ୍ୱେ ସେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ, ତାଙ୍କୁ ଖୋଜି ପାଇବାରେ ସେମାନେ ସଫଳ ହୋଇ ନ ଥିଲେ।

ଗତକାଲି ଅପରାହ୍ଣ ପ୍ରାୟ ୪: ୩୦ ମିନିଟରେ ନାଲ୍‌କୋ ଥାନା ପୁଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବଳରାମପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ କହିଁଫୁଲିଆ ଗାଁ ନିକଟରେ ପଡ଼ିଥିବା ରେଳଧାରଣା ଉପରୁ ପାଇଥିବା ଜଣେ ବୃଦ୍ଧଙ୍କ ଶବର ଫଟୋ ଦେଖି ତାହା ରାଜକିଶୋରଙ୍କର ବୋଲି ଆଜି ସକାଳେ ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି।

ବଇଣ୍ଡା ଯାଉଛନ୍ତି ବୋଲି ରାଜକିଶୋର ଷ୍ଟେସନ୍‌ ଠାରେ କିଛି ଲୋକଙ୍କୁ କହିଥିବା ଏବେ ଶୁଣାଯାଉଛି। ସମ୍ଭବତଃ ସେ ଭୁଲ୍‌କ୍ରମେ କୌଣସି ଭୁବନେଶ୍ୱରଗାମୀ ଟ୍ରେନ୍‌ରେ ଚଢ଼ିଯାଇ ପରେ କୌଣସି କାରଣରୁ ସେ ଟ୍ରେନ୍‌ରୁ ଖସିପଡ଼ିଥିବା ଅନୁମାନ କରାଯାଉଛି।

‘ସମ୍ବାଦ’ର ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଥିବା ଅନୀଲ ପ୍ରଧାନଙ୍କ ବାପା ରାଜକିଶୋରଙ୍କ ଜନ୍ମ ୧୯୩୪ ମସିହାରେ ଓ ତାଙ୍କ ପୈତୃକ ଗାଁ ପାଇକସାହି। ସେ ୧୯୭୧ ମସିହାରେ ଆଠମଲ୍ଲିକ ନିର୍ବଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ପ୍ରାୟ ଏକମାସ ତଳେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ତାହା ପରେ ସେ ଅନଗୁଳ ପ୍ରଗତି ନଗର ଠାରେ ଥିବା ତାଙ୍କ ବଡ଼ପୁଅ ଅଧ୍ୟାପକ ଦିଲୀପ ପ୍ରଧାନଙ୍କ ପାଖରେ ରହୁଥିଲେ।

By amfnews

Related Post