ବିଜୟ ରଥରେ ବସିଥିବା ଭାରତୀୟ ହକି ଟିମର ବିଜୟ ଅଭିଯାନ ଜାରି ରହିଛି । ୧୮ତମ ଏସିଆନ୍ ଗେମସରେ ପୁରୁଷ ହକିରେ ଆଜି ଦଳ ଜାପାନକୁ ୮-୦ ଗୋଲରେ ମାତ୍ ଦେଇଛି । ଏହା ଭାରତର ଲଗାତାର ତୃତୀୟ ବିଜୟ ।
ମ୍ୟାଚର ପ୍ରତ୍ୟେକ ମୂହୁର୍ତ୍ତରେ ଭାରତୀୟ ଖେଳାଳି ଦବଦବା ରଖିଥିଲେ । ଟିମ୍ ଇଣ୍ଡିଆ ଲଗାତାର ଆକ୍ରମଣ କରି ଜାପାନକୁ ବ୍ୟାକଫୁଟରେ ରଖିଥିଲା । ପୁଲ୍ ଏ ରେ ଭାରତ ପ୍ରଥମ ସ୍ଥାନରେ ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ଦଳ ଘରୋଇ ଟିମ୍ ଇଣ୍ଡୋନେସିଆକୁ ୧୭-୦ ଏବଂ ପରେ ହଙ୍ଗକଙ୍ଗକୁ ୨୬-୦ରେ ପରାସ୍ତ କରିଥିଲା । ଯାହା ଅନ୍ତରାଷ୍ଟ୍ରୀୟ ହକିରେ ଭାରତର ସବୁଠାରୁ ବଡ ବିଜୟ ।
ଏହି ଭଳି ତିନୋଟି ମ୍ୟାଚରେ ଦଳ ପ୍ରତିପକ୍ଷକୁ ୫୧ଟି ଗୋଲ୍ ଦେଇଛି । ପ୍ରଥମ ଦୁଇଟି ମୁକାବିଲା ଭାରତୀୟ ଦଳ ପାଇଁ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଥିଲା । ବିଶେଷଜ୍ଞମାନେ ଜାପାନର ଶକ୍ତିଶାଳୀ ଡିଫେନ୍ସ୍ ଭାରତ ପାଇଁ ବିପଦ ସୃଷ୍ଟି କରିବ ବୋଲି କହିଥିଲେ । କିନ୍ତୁ ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତି ନେଇଥିଲା ।
ଗ୍ରୁପ ଏ ରେ ଭାରତ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ କୋରିଆ ହେବ ବୋଲି କୁହାଯାଉଛି । ଏହି ମ୍ୟାଚ୍ ଆଗାମୀ ୨୬ ତାରିଖରେ ଖେଳାଯିବ । ଶେଷ ତଥା ଅନ୍ତିମ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ସାମ୍ନା କରିବ ।