Mon. Feb 24th, 2025

ଟଙ୍କିକିଆ ଚାଉଳରେ ୧୮ଲକ୍ଷ ନୂଆ ହିତାଧିକାରୀ

By amfnews Oct 1, 2018 #Featured
289 Views

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)ରୁ ବାଦ୍ ପଡ଼ିଥିବା ୧୮ ଲକ୍ଷରୁ ଅଧିକ ହିତାଧିକାରୀ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଟଙ୍କିକିଆ ଚାଉଳ ପାଇବେ। ଓଡ଼ିଶା ସରକାରଙ୍କ ନିଜସ୍ୱ କାର୍ଯ୍ୟକ୍ରମ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ଯୋଗୁ ଏହା ସମ୍ଭବ ହୋଇଛି।

ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବାକୁ ଯାଉଥିବା ଏହି ଯୋଜନାଟି ରାଜ୍ୟ ସରକାରଙ୍କ ନିଜସ୍ୱ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ବ୍ୟୟ ଭାର ରାଜ୍ୟ ବହନ କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସର୍ବଶେଷ ତାଲିକା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଅବଶିଷ୍ଟ ୬ ଲକ୍ଷ ୬୮ ହଜାର ହିତାଧିକାରୀ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ତାଲିକାରେ ସ୍ଥାନ ପାଇବେ। ଏହି ଯୋଜନାରେ ୬ ଲକ୍ଷ ୭୦ ହଜାର ପରିବାରରେ ଥିବା ମୋଟ୍ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିକଟରେ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୭୩ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ହିତାଧିକାରୀ ଆସନ୍ତା ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଏଥିରେ ସାମିଲ ହୋଇପାରିବେ। ରାଜ୍ୟର ୪ଟି ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଛି। ନୂଆପଡ଼ା ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ବଲାଙ୍ଗୀରରେ୯୫.୮, ବୌଦ୍ଧରେ ୯୨.୭ ପ୍ରତିଶତ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲାରେ ୯୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲା ସର୍ବାଧିକ ୧ ଲକ୍ଷ ୮୬ ହଜାର ହିତାଧିକାରୀଙ୍କ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୯୬ହଜାର ହିତାଧିକାରୀଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଛି। ଏହି ସମସ୍ତ ହିତାଧିକାରୀ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଟଙ୍କିକିଆ ଚାଉଳ ପାଇବେ। ସ˚ଖ୍ୟାଧିକ ହିତାଧିକାରୀଙ୍କ ନାମ ଏନ୍ଏଫ୍ଏସ୍ଏରେ ରହିଥିବା ବେଳେ ସେମାନେ ରାଜ୍ୟ ଯୋଜନାରେ ଆବେଦନ କରିଥିବାରୁ ତାହାକୁ ଖାରଜ କରାଯାଉଛି। ଯେଉଁ ଗରିବ ଲୋକମାନେ ଏନ୍ଏଫ୍ଏସ୍ଏରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଏହି ରାଜ୍ୟ ଯୋଜନାରେ ସୁବିଧା ମିଳିବ।

ସୂଚନାଯୋଗ୍ୟ, ୨୦୦୮ ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାର କିଲୋ ପ୍ରତି ୨ ଟଙ୍କା ଦରରେ ଚାଉଳ ଯୋଗାଣ ଆରମ୍ଭ କରିଥିଲେ। ୨୦୧୩ ମସିହାରୁ ଏକ ଟଙ୍କାରେ ଚାଉଳ ଯୋଗା ଯାଉଥିବା ବେଳେ ବର୍ତମାନ ଏଥିରେ ଆଉ ୨୫ ଲକ୍ଷ ହିତାଧିକାରୀ ଯୋଡ଼ି ହେବାକୁ ଯାଉଛନ୍ତି।

By amfnews

Related Post