Sat. Mar 7th, 2026

ଜୟଶ୍ରୀ ମିଶ୍ର ହତ୍ୟା ମାମଲା : ପୁଣି ୯ ଫୁଟ ଖୋଳାଗଲା, ମିଳିଲାନି ଦେହାବଶେଷ

251 Views

ସମ୍ବଲପୁର : ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଡିଏନଏ ଟେଷ୍ଟ ପାଇଁ ମିଳିଥିବା ଦେହାବଶେଷ ଯଥେଷ୍ଟ ନୁହେଁ। ଏହା କହିଛନ୍ତି ଆଞ୍ଚଳିକ ଫରେନସିକ ସାଇନ୍ସ ଲାବୋରେଟାରି ସହକାରୀ ନିର୍ଦେଶକ ସୁକାନ୍ତ ନନ୍ଦ। ଏଥିପାଇଁ ଜୟଶ୍ରୀଙ୍କ ଦେହାବଶେଷ ଖୋଜିବା ଲାଗି ପୁନର୍ବାର ଶନିବାର ବଡ଼ସିଂହାରିରେ ୯ ଫୁଟ ପର୍ଯ୍ୟନ୍ତ ମାଟି ଖୋଳାଯାଇଥିଲା। କ୍ରାଇମ ବ୍ରାଞ୍ଚ ନିର୍ଦେଶରେ ଆର୍‌ଏଫ୍‌ଏସ୍‌ଏଲ୍‌, ଏଫ୍‌ଏମ୍‌ଟି ଟିମ୍‌, ଏସ୍‌ଡିପିଓ, ଟାଉନ ଥାନା ଅଧିକାରୀ ଉପସ୍ଥିତିରେ ସାଢେ ୪ ଘଣ୍ଟା ଧରି ଗାତ ଖୋଳା ଯାଇଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ।

୨୦୧୧ ମସିହାରୁ ନିଖୋଜ ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ଖପୁରି ହାଡ଼ ଜୁଲାଇ ମାସ ଉଦ୍ଧାର କରିଥିଲା ସମ୍ବଲପୁର ପୁଲିସ। ଏ ନେଇ ଫରେନସିକ ଯାଞ୍ଚ ପରେ ଏହା ଜଣେ ମହିଳାଙ୍କ ସ୍ପଷ୍ଟ ହୋଇଛି। ଅଗଷ୍ଟ ମାସରେ ଡିଏନ୍‌ଏ ପରୀକ୍ଷା ପାଇଁ ଜୟଶ୍ରୀଙ୍କ ଝିଅ, ପୁଅଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ ଆସି ପାରି ନାହିଁ। ଜୟଶ୍ରୀଙ୍କ ଦେହାବଶେଷର କୌଣସି ବଡ଼ ଅଂଶ ଠାବ କରିବା ପାଇଁ ପୁନର୍ବାର ଶନିବାର ଖୋଳା ଯାଇଥିଲା। ଶନିବାର ସକାଳ ୯.୩୦ରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଫରେନସିକ ବିଭାଗ ପ୍ରମୁଖ ସତ୍ୟସାଇ ପଣ୍ଡା, ସହକାରୀ ପ୍ରଫେସର ବୀରେନ ଖାଲଖୋ, ଆବାସିକ ଡାକ୍ତର ସୁନୀଲ ମୁର୍ମୁ, କନିଷ୍ଠ ଆବାସିକ ଡାକ୍ତର ଗୀତାରାଣୀ ଚୌବେ, ଫରେନସିକ ସାଇନ୍ସର ଲାବୋରୋଟାରିର ସହକାରୀ ନିର୍ଦେଶକ ସୁକାନ୍ତ ନନ୍ଦ, ବୈଜ୍ଞାନିକ ପୁଷ୍ପାଞ୍ଜଳି ତାଣ୍ଡିଙ୍କ ନିର୍ଦେଶରେ ଦେହାବଶେଷ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଇନଗତ ସୁରକ୍ଷା ପାଇଁ ଏସଡିପିଓ ଭବାନୀ ଉଦଗାତା, ଟାଉନ ଥାନା ଅଧିକାରୀ ରମେଶ ଦୋରା, ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ମାନେଶ୍ବର ତହସିଲଦାର ସରୋଜା ବେହେରା ପହଞ୍ଚିଥିଲେ। ଜୟଶ୍ରୀଙ୍କ ପୁଅ ଭବାନୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟଦିଗରେ ପୁଟପର୍ତ୍ତି ଯାଇଥିବା ପୁଲିସ ଶନିବାର ରାତିରେ ସେଠାରେ ପହଞ୍ଚିଛି।

By amfnews

Related Post