Fri. Mar 6th, 2026

ଜୈନ ମୁନି ତରୁଣ ସାଗରଙ୍କ ଦେହାନ୍ତ

340 Views

ନୂଆଦିଲ୍ଲୀ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଶନିବାର ପାହାନ୍ତା ପହରରେ ଜୈନ ମୁନି ତରୁଣ ସାଗରଙ୍କର ୫୧ ବର୍ଷ ବୟସରେ ଜାତୀୟ ରାଜଧାନୀରେ ପରଲୋକ ଘଟିଛି। ସେ କାମଳ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ପ୍ରତ୍ୟୁଷ ପ୍ରାୟ ୩ଟା ବେଳେ ଜୈନ ମୁନି ପୂର୍ବ ଦିଲ୍ଲୀ ଅନ୍ତର୍ଗତ କୃଷ୍ଣ ନଗର ଅଞ୍ଚଳରେ ଅବସ୍ଥିତ ରାଧାପୁରୀ ଜୈନ ମନ୍ଦିରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଜି ଉତ୍ତର ପ୍ରଦେଶର ମୁରାଦନଗର ଅନ୍ତର୍ଗତ ତରୁଣସାଗରମ୍‌ ଠାରେ ତାଙ୍କର ଶେଷ କୃତ୍ୟ ଅନୁଷ୍ଠିତ ହେବ।

୧୯୬୭ ମସିହା ଜୁନ୍‌ ୨୬ ତାରିଖରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଦାହୋଃ ଜିଲ୍ଲାରେ ଜନ୍ମିତ ଦିଗମ୍ବର ଜୈନ ଭିକ୍ଷୁଙ୍କର ଜୈନ ସମ୍ପ୍ରଦାୟରେ ଅନେକ ଅନୁଗାମୀ ଥିଲେ।

ପାଖାପାଖି ତିନି ସପ୍ତାହ ତଳେ ତରୁଣ ସାଗରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଶୁଧୁରିଲା ନାହିଁ।
ଗତ କିଛି ଦିନ ହେବ ତରୁଣ ସାଗର ଔଷଧ ଖାଇବା ବନ୍ଦ କରି ଦେବାରୁ ତାଙ୍କୁ ରାଧାପୁରୀ ଜୈନ ମନ୍ଦିରକୁ ଅଣାଯାଇଥିଲା। ସେଠାରେ ସେ ‘ସନ୍ଥରା’ ବୋଲି କୁହାଯାଉଥିବା ମୃତ୍ୟୁ ଯାଏଁ ଉପବାସ ବ୍ରତ ପାଳନ କରିଥିଲେ।

ତରୁଣ ସାଗରଙ୍କ ପ୍ରକୃତ ନାମ ପବନ କୁମାର ଜୈନ।

୧୯୮୧ ମସିହାରେ ଘରଦ୍ୱାର ଛାଡ଼ି ସେ କୁମାର ବ୍ରତ ଧାରଣ କରି ମୁନି ଜୀବନ ଯାପନ ଆରମ୍ଭ କରିଥିଲେ।

୨୦୧୬ରେ ହରିୟାଣା ବିଧାନସଭାରେ ତରୁଣ ସାଗରଙ୍କ ଧାର୍ମିକ ପ୍ରବଚନ ‘କାଦ୍‌େଓ୍ଵ ପ୍ରବଚନ’ ପ୍ରବଳ ହଟ୍ଟଗୋଳର କାରଣ ହୋଇଥିଲା।

By amfnews

Related Post