Sun. Mar 8th, 2026

ଜେଲ୍‌ରେ ପ୍ରଶାସନର ଚଢ଼ଉ, ଖରାପ ସିସି କ୍ୟାମେରା ବଦଳିଲା

187 Views

ଯାଜପୁର/ଟାଉନ୍: ରଗଡ଼ି ଜେଲରେ ରୂପେଶଙ୍କର ଦରବାର ଖବର ‘ସମ୍ବାଦ’ରେ ପ୍ରକାଶ ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଅତିରିକ୍ତ ଡିଜି(ଜେଲ) ସତ୍ୟଜିତ ମହାନ୍ତିଙ୍କ ନିର୍ଦେଶକ୍ରମେ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର କୁମାର ସାହୁ ଗତକାଲି ରଗଡ଼ି ଜେଲକୁ ଆସି ଦୀର୍ଘ ସମୟ ଧରି ତନାଘନା କରିଥିଲେ। ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଜେଲର ସୁରକ୍ଷା ବ୍ୟବସ୍ଥା, ଅନ୍ତେବାସୀଙ୍କୁ ଭେଟିବାକୁ ଆସୁଥିବା ପରିଦର୍ଶକ କିମ୍ବା ସଂପର୍କୀୟଙ୍କ ସଠିକ ତଦାରଖ, ଜେଲ ମଧ୍ୟକୁ ନିଷିଦ୍ଧ ଦ୍ରବ୍ୟ ଯେପରି ପ୍ରବେଶ ନକରେ ସେ ସଂପର୍କରେ ପରାମର୍ଶ ଦେବା ସହ ଜେଲର ଅନ୍ତରୀଣ ସୁରକ୍ଷା ବିଷୟରେ ପଚାରି ବୁଝିଥିଲେ। ସରକାରୀ ନିର୍ଦେଶନାମାକୁ କଡାକଡି ପାଳନ କରିବା ପାଇଁ ଜେଲ ଅଧୀକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଜେଲରେ ଖରାପ ହୋଇ ପଡ଼ିଥିବା ସିସି କ୍ୟାମେରାଗୁଡ଼ିକୁ ପରିବର୍ତ୍ତନ କରାଯାଇଛି। ସ୍ବତନ୍ତ୍ର ରୁମ ୮ନମ୍ବରରେ ରହୁଥିବା ରୂପେଶଙ୍କୁ ଆଜି ୪ ନମ୍ବର ରୁମ୍‌କୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post