Tue. Nov 19th, 2024

ଜେନାପୁରରୁ ପରିବେଶ ଆଇନକୁ ଉଲଂଘନ କରି ଚାଲିଛି ବେଆଇନ ବାଲି ଚାଲାଣ: ପୋଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆରଟିଓ, ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା

By amfnews Nov 2, 2018 #Featured
477 Views

ଯାଜପୁର,୧/୧୧ :ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧୀନରେ ଥିବା ଜେନାପୁର ବାଲି ଖାଦାନରୁ ଦିନରାତି ଅହରହ ବେଆଇନ ଭାବେ ବାଲି ଚାଲାଣ ଚାଲିଛି । ଜେନାପୁରରେ ବ୍ରାହ୍ମଣୀ ନଦୀ ଘାଟରେ ଚାରୋଟି ଖାଦାନ ଚାଲିଥିବା ବେଳେ ଏଗୁଡିକର ପରିବେଶ ମଂଜୁରୀ କିମ୍ବା ରାଜସ୍ୱ ବିଭାଗର ମଧ୍ୟ ଅନୁମତି ନାହିଁ । ଏଥିପାଇଁ ଗୋଟିଏ ପଟରେ ସରକାର ବହୁକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ରାସ୍ତାରେ ପରିବେଶ ଆଇନକୁ ଉଲଂଘନ କରି ବାଲି ଚାଲାଣ କରାଯାଉଛି ।

ପରିବେଶ ବିଭାଗର ଆଇନ ଅନୁସାରେ ପ୍ରତ୍ୟେକ ବାଲି ଗାଡିରେ ପାଲ ଘୋଡା ହୋଇ ବାଲି ଚାଲାଣ ହେବା କଥା । ହେଲେ ଏଠାରେ ପାଲ ଘୋଡା ନହୋଇ ବାଲି ଚାଲାଣ ହେବାରୁ ରାସ୍ତାରେ ବାଲି ଉଡି ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଜେନାପୁର ନିକଟରେ ଥିବା ଜେନାପୁର କଲେଜ, ହାଇସ୍କୁଲ, ମାଇନର ସ୍କୁଲ, ୪ ଟି ବେସରକାରୀ ସ୍କୁଲର ଛାତ୍ର ଓ ଛାତ୍ରୀମାନେ ନିୟମିତ କବାଟବନ୍ଧ-ଯାରକା ଏବଂ ଜେନାପୁର-ବାଲିସାହି ରାସ୍ତା ଦେଇ ଯାତାୟତ କରିଥାନ୍ତି ।

ଏହି ରାସ୍ତାରେ ବେଆଇନ ଭାବେ ବେଧଡକ ଶହ ଶହ ଟ୍ରିପ ପାଲବନ୍ଧା ହୋଇ ନଥିବା ଟ୍ରକରେ ବାଲି ଚାଲାଣ ଫଳରେ ରାସ୍ତାରେ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ବ୍ୟାପକ ସମସ୍ୟାରେ ପଡୁଛନ୍ତି । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଜେନାପୁର ଥାନା ପାଚେରୀ କଡରେ ଏଭଳି ପାଲବନ୍ଧା ନହୋଇ ବିନା ଆର ଫର୍ମରେ ଦୈନିକ ଶତାଧିକ ଟ୍ରିପବେଆଇନ ବାଲି ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଥରୁଟେ ବେଆଇନ ବାଲି ବୋଝେଇ ଗାଡିକୁ ଧରିନାହିଁ । ପାଲବନ୍ଧା ନହେବା କାରଣରୁ ସଡକ ସୁରକ୍ଷା ବିପନ୍ନ ହେଉଛି ।

ହେଲେ ସହକ ସୁରକ୍ଷା ନେଇ ହେଲେମେଟ ଚେକିଂରେ ମାତି କାଣି ବିଲେଇ କୁଜି ଅସରପା ଉପରେ ରାଜା ହେଉଥିବା ବେଳେ ଏଠାରେ ବାଲି ବ୍ୟବସାୟୀଙ୍କ ନିକଟରେ ପୋଲିସ ହାତଟେକି ଦେଇଛି । ସତେ ଯେମିତି ବାଲି ବ୍ୟବସାୟୀଙ୍କ ମୋଟା ଅଙ୍କର ମାସିକିଆ ନିକଟରେ ପୋଲିସର ହାତବାନ୍ଧି ହୋଇ ଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଅପର ପକ୍ଷରେ ସରକାର ବହୁକୋଟି ଟଙ୍କା ଖର୍ଚ୍ଚ କରି ଥରକୁ ଥର ଜେନାପୁର-କବାଟବନ୍ଧ ରାସ୍ତା ନିର୍ମାଣ କରୁଥିବା ବେଳେ ଓଭରଲୋଡ ବାଲି ବୋଝେଇ ଗାଡି ପାଇଁ ଏହି ରାସ୍ତା ଖରାପ ହେଉଛି ।

ଏ କ୍ଷେତ୍ରରେ ପୋଲିସ ଏବଂ ଆରଟିଓ ଅଧିକାରୀଙ୍କ ସହ ରାସ୍ତା ଏବଂ ଗୃହ ନିର୍ମାଣ (ପୂର୍ତ୍ତ) ବିଭାଗର ନୀରବତା ମଧ୍ୟ ଉଦବେଗଜନକ । ଏଥିନେଇ ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

By amfnews

Related Post