Mon. Nov 25th, 2024

ଜେଏନୟୁରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ: ସାରା ଦେଶରେ ତାତିଲେ ଶିକ୍ଷାର୍ଥୀ

By amfnews Jan 6, 2020 #Featured
80 Views

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟାରେ ଏକାଧିକ ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନୟୁ ସଭାପତି ଆଇଶି ଘୋଷଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ଶିକ୍ଷାନୁଷ୍ଠାନରେ ଏଭଳି ଦାଦାଗିରିକୁ ସମଗ୍ର ଦେଶ ବିରୋଧ କରିଛି।

ଜେଏନୟୁ ସମର୍ଥନରେ ଗତକାଲି ରାତିରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଠାବ କରି କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଛନ୍ତି। ଏଥିସହ ଜେଏନୟୁ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସବୁଦିନ ପାଇଁ ବନ୍ଦ କରିଦେବା ପାଇଁ ଏଭଳି ଆକ୍ରମଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଆଜି ଜେଏନ୍‌ୟୁ କ୍ୟାମ୍ପସ ବାହାରେ ମଧ୍ୟ ନ୍ୟାୟ ଦାବିରେ ଶତାଧିକ ଶିକ୍ଷାର୍ଥୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିଛି। ତେବେ ଫ୍ଲାଗମାର୍ଚ୍ଚ ବେଳେ ଛାତ୍ରଛାତ୍ରୀମାନେ ଗୋ ବ୍ୟାକର ନାରା ଦେଇଛନ୍ତି।

ରବିବାର ମଧ୍ୟରାତ୍ରରୁ ମୁମ୍ବାଇର ଏକାଧିକ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଗେଟୱେ ନିକଟରେ ଏକାଠି ହୋଇ ଜେଏନ୍‌ୟୁ ସମର୍ଥନରେ ସ୍ଲୋଗାନ ଦେଇଛନ୍ତି। ସେହିପରି ଦୁର୍ବୃତ୍ତଙ୍କ ବିରୋଧରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏପରି କି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏସବୁ ଆକ୍ରମଣ ପଛରେ ରହିଛି ବୋଲି ଅନେକ ମତଦେଇଛନ୍ତି।

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ କ୍ୟାଣ୍ଡେଲ ଲାଇଟ୍‌ ମାର୍ଚ୍ଚ କରି ଜେଏନୟୁ ଘଟଣାକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜାମିଆ ଟିଚର୍ସ ଆସୋସିଏସନ(ଜେଟିଏ) ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି।

ଏଥିସହ ମୁଖା ପିନ୍ଧା ଦୁର୍ବୃତ୍ତଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହିଁ ଆକ୍ରମଣ କରିବାକୁ ସମସ୍ତ ସହଯୋଗ ଯୋଗାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ପାଟଣା ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ମଧ୍ୟ ଜେଏନୟୁ ପାଇଁ ଆନ୍ଦୋଳନ କରିଛନ୍ତି।

ଜେଏନୟୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଆକ୍ରମଣ ବେଳେ ପୁଲିସ୍‌ ଓ ପ୍ରାଇଭେଟ ସୁକ୍ୟୁରିଟି ଗାର୍ଡ ଉପସ୍ଥିତ ଥିଲେ। ହେଲେ ସେମାନେ ଆକ୍ରମଣ ବେଳେ କେବଳ ନିରବଦ୍ରଷ୍ଟା ସାଜିଥିଲେ। ଏପରି କି ଆତଙ୍କରାଜ ପରେ ଦୁର୍ବୃତ୍ତମାନଙ୍କୁ ସେଠାରୁ ଖସାଇବାରେ ବି ସହଯୋଗ କରିଥିଲେ।

By amfnews

Related Post