Sat. Mar 7th, 2026

ଜୁନାଗଡ-ଭୁବନେଶ୍ୱର ଟ୍ରେନର ଗତିପଥ ପରିବର୍ତ୍ତନକୁ ବିରୋଧ: ଅନଶନ ଚେତାବନୀ

300 Views

ରାୟଗଡ଼ା  :  ଜୁନାଗଡ-ଭୁବନେଶ୍ୱର ଟ୍ରେନର ଗତିପଥ ପରିବର୍ତ୍ତନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ରାୟଗଡାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ରାୟଗଡା ପରିବର୍ତ୍ତେ ସମ୍ବଲପୁର ଦେଇ ଏହି ଟ୍ରେନ ଯାତାୟତ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ। ଏହି ଘଟଣାକୁ ରାୟଗଡା ଯୁବ ବିକାଶ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ଏ ସମ୍ପର୍କରେ ଗତକାଲି ଯୁବବିକାଶ ପରିଷଦ ପକ୍ଷରୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ଷ୍ଟେସନ ମ୍ୟାନେଜରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଆସନ୍ତା ରବିବାର ରାୟଗଡା ରେଳ ଷ୍ଟେସନ ସମ୍ମୁଖରେ ୧୨ ଘଣ୍ଟିଆ  ଅନଶନ ସହ ପ୍ରତିବାଦ କରିବାକୁ ଯୁବବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

ଯୁବବିକାଶ ପରିଷଦ ସଭାପତି ଶିବାଜୀ ଦାଶ କହିଛନ୍ତି,“ପୂର୍ବରୁ ଗୋଟିଏ ହୀରାଖଣ୍ଡ ଏକ୍ସପ୍ରେସ୍‌ ଥିଲା। ହେଲେ ଏଥିରେ ଅଧିକ ଭିଡ଼ ହେବାରୁ ୫ ବର୍ଷ ଆନ୍ଦୋଳନ କରିବା ପରେ କେନ୍ଦ୍ର ସରକାର ଆଉ ଗୋଟିଏ ଟ୍ରେନ୍ ଦେଇଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁନାଗଡ-ଭୁବନେଶ୍ୱର ଟ୍ରେନ୍‌ ପଶ୍ଚିମ ଓଡ଼ିଶା ଦେଇ ଚଳାଚଳ କରିବା ନିମନ୍ତେ ରେଳ ମନ୍ତ୍ରାଳୟକୁ ସୁପାରିଶ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ରବିବାର ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଅନଶନ କରାଯିବ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କିମ୍ୱା ରେଳମନ୍ତ୍ରୀ ନ ଶୁଣିଲେ ଆନ୍ଦୋଳନ ଭୟାବହ ରୂପ ଧାରଣ କରିବ। ନୂଆ ଟ୍ରେନ୍‌ ନଦେଇ ଯେଉଁ ଟ୍ରେନ୍‌ ଏହି ରୁଟ୍ ଦେଇ ଚଳାଚଳ କରୁଛି ତାକୁ ପରିବର୍ତ୍ତନ କଲେ ଦକ୍ଷିଣ ଓଡ଼ିଶା ଲୋକେ କେମିତି ବଞ୍ଚିବେ।”

By amfnews

Related Post