ଭୁବନେଶ୍ୱର : ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ୍ ଆୟାର୍ ମିତ୍ରଙ୍କୁ ଜାମିନ୍ ମିଳିଛି। ଆୟାର୍ ପୁଲିସ୍ ତଦନ୍ତରେ ସହଯୋଗ କରୁଥିବାରୁ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।
ଆୟର୍ ତାଙ୍କ ଟୁଇଟର୍ ହ୍ୟାଣ୍ଡେଲ୍ରେ ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ, ଦେଇଥିଲେ। ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ଥିବା ଏକ ଭିଡିଓ ସୁଟ୍ କରିଥିଲେ।
ଏହାପରେ ଗତ ୧୮ ତାରିଖରେ ସ୍ଥାନୀୟ ଅଞ୍ଚଳର ବିମ୍ବାଧର ବେଉରା ନାମକ ଜଣେ ବ୍ୟକ୍ତି ଆୟାରଙ୍କ ବିରୁଦ୍ଧରେ କୋଣାର୍କ ଥାନାରେ ଏକ ମାମଲା ଦାୟର୍ କରିଥିଲେ। କୋଣାର୍କ ପୁଲିସ୍ IPC ଧାରା ୧୫୩-କ, ୨୯୫-କ, ୨୯୮ ଓ ଆଇଟି ଆଇନର ଧାରା ୬୬ରେ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।
ଆଜି ଦିଲ୍ଲୀ ପୁଲିସ୍ ସହାୟତାରେ ଅଭିଜିତଙ୍କୁ ଗିରଫ କରାଯାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିବା ଲାଗି ଓଡ଼ିଶା ପୁଲିସ୍ ଦିଲ୍ଲୀର ସାକେତ୍ କୋର୍ଟରେ ଆବେଦନ କରିଥିଲା। ତେବେ ଆୟର ତଦନ୍ତରେ ସହଯୋଗ କରୁଥିବା ଦୃଷ୍ଟିରୁ କୋର୍ଟ ଓଡ଼ିଶା ପୁଲିସ୍ର ଟ୍ରାନ୍ଜିଟ୍ ରିମାଣ୍ଡ ଆବେଦନକୁ ଖାରଜ କରିବା ସହ ତାଙ୍କୁ ଜାମିନରେ ଛାଡ଼ି ଦେଇଛନ୍ତି।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପୁଲିସ୍ ଆୟାର ବିରୁଦ୍ଧରେ ଯେଉଁ ଦଫା ଲଗାଇଛି ଠିକ୍ ସମାନ ଦଫା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଲଗାଯାଇଛି। ମାତ୍ର ବୈଜୟନ୍ତ, ହେଲକପ୍ଟରରେ ଆୟରଙ୍କ ସହ କେବଳ କୋଣାର୍କ ଉପରେ ଉଡ଼ିଥିବା ଅଭିଯୋଗକାରୀ ଲେଖିଥିଲେ। ହେଲେ ଏଫ୍ଆଇଆର୍ ରୁଜ୍ଜୁ କଲାବେଳକୁ ଆୟାର୍ ଓ ବୈଜୟନ୍ତ ଉଭୟ ଅରୁଚିକର ମନ୍ତବ୍ୟ ଦେଇଥିବା ଉଲ୍ଲେଖ କରାଗଲା। ଯାହା ମୂଳ ଅଭିଯୋଗଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ବୈଜୟନ୍ତଙ୍କୁ ବଦନାମ କରିବାକୁ ରୀତିମତ ଷଡ଼ଯନ୍ତ୍ର ଚାଲିଥିବା ଏଥିରୁ ସନ୍ଦେହ ହେଉଛି। କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ଏ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି।
ଆଜି ଆୟାରଙ୍କ ବିରୋଧରେ ଭୁବନେଶ୍ୱର ସହିଦ୍ ନଗର ଥାନାରେ ବି ଆଇ ମନୋଜ ସ୍ୱାଇଁ ନାମକ ବ୍ୟକ୍ତି ଅନୁରୂପ ଅଭିଯୋଗରେ ଏତଲା ଦେଇଛନ୍ତି। ତେବେ ଆୟାର ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜର ହେବାକୁ ଦିଲ୍ଲୀର ସାକେତ କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ମାମଲାର ପରବର୍ତ୍ତୀ ଦିଗ କ’ଣ ହେବ ତା’ରି ଉପରେ ସମସ୍ତଙ୍କ ନଜର ରହିଛି।