Thu. Dec 26th, 2024

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ଜରୁରୀ,ଲଗାତାର ୧୩ବର୍ଷ ପାଇଁ ‘ଆମ ଓଡ଼ିଶା’ପୁରସ୍କୃତ

By amfnews Oct 2, 2019 #Featured
104 Views

ଭୁବନେଶ୍ବର  : ଜାତୀୟ ସ୍ବେଚ୍ଛାକୃତ ଦିବସ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ରକ୍ତ ସଂଚାରଣ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ କହିଲେ, ବ୍ୟାପକ ପ୍ରଚାରପ୍ରସାର ଯୋଗୁଁ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ବୃଦ୍ଧି ପାଇଛି। ବିଗତ ଦିନଗୁଡ଼ିକରେ ‘ଜୀବନ ବିନ୍ଦୁ’ ସଫଳତାର କାର୍ଯ୍ୟକାରୀ ହୋଇପାରିଛି। ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ପାଇଁ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମାନବ ସମ୍ବଳ ପୂରଣ କରିବା ସହ ଉନ୍ନତମାନର ‌ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ତେଣୁ ଓଡ଼ିଶାକୁ ଏକ ସୁସ୍ଥ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ଶ୍ରୀ ଆରୁଖ କହିଥିଲେ।

ବିଧାୟକ ଅନନ୍ତ ନାରାୟଣ ଜେନା କହି‌ଲେ, ରାଜ୍ୟରେ ଏବେ ରକ୍ତର ଅଭାବ ଅନେକାଂଶରେ ହ୍ରାସ ପାଇଛି। ସ୍ବେଚ୍ଛାକୃତ ରକ୍ତଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାର କହିଲେ, ରାଜ୍ୟରେ କାର୍ଯ୍ୟ କରୁଥିବା ରକ୍ତଭଣ୍ଡାରଗୁଡ଼ିକରେ ରକ୍ତର ସ୍କ୍ରିନିଂ ଉପରେ ଗୁରୁତ୍ବ ଦିଆଯାଇଛି। ଏଚ୍‌ଆଇଭି ଓ ହେପାଟାଇଟିସ୍‌ ଆକ୍ରାନ୍ତ ରକ୍ତକୁ କିଭଳି ଅଲଗା କରିହେବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ।

ପରିବାର କଲ୍ୟାଣ ନିର୍ଦେଶକ ଡା. ସରୋଜ ନାୟକ କହିଲେ, ଅପପୁଷ୍ଟି, ରକ୍ତହୀନତା, ଗର୍ଭବତୀ ମହିଳା, ଦୁର୍ଘଟଣା ଓ ବଂଶୁନାଗତ ରୋଗରେ ଆକ୍ରାନ୍ତଙ୍କ ପାଇଁ ରକ୍ତ ଜରୁରୀ। ଏଥିପାଇଁ ସମସ୍ତେ ରକ୍ତଦାନ କରି ଓଡ଼ିଶାକୁ ରକ୍ତବହୁଳ ରାଜ୍ୟରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୨ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡା. ନାୟକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ମାନସ ସାମନ୍ତରାୟ ଉପସ୍ଥିତ ଥିଲେ। ଏହି ଅବସରରେ ଓସାକ୍ସର ନ୍ୟୁଜ୍ ଲେଟ୍‌ର ଉନ୍ମୋଚିତ ହୋଇଥିଲା। ପରେ ରାଜ୍ୟରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୀବନ ବିନ୍ଦୁ, ଆମ ଓଡ଼ିଶା ଓ ସତ୍ୟସାଇ ସେବା ସଂଗଠନକୁ ପୁରସ୍କୃତ କରାଯାଇଥିଲା। ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ପରେ ବିଭିନ୍ନ ବ୍ୟକ୍ତିବିଶେଷ, କମିସନରେଟ୍‌ ପୁଲିସ, ଏସ୍‌ଓଜି, ସ୍ବେଚ୍ଛାସେବୀ ସଂଗଠନ ଓ ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟ, କ୍ୟାପିଟାଲ, ଏସ୍‌ସିବି, କଟକସ୍ଥିତ ସେଣ୍ଟ୍ରାଲ ରେଡକ୍ରସ ଜିଲ୍ଲା ରକ୍ତଭଣ୍ଡାରକୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରକ୍ତ ସଂଚାରଣ ପରିଷଦର ଯୁଗ୍ମ ନିର୍ଦେଶକ କୈଳାସ ନାଥ ଶାସ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସଚେତନତା ଉପଲକ୍ଷେ ଆଜି ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ସ୍ବନାମଧନ୍ୟ କ୍ରୀଡ଼ାବିତ୍, ସ୍ବେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

By amfnews

Related Post