Mon. Jan 20th, 2025

ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ୬ ମାସ ହେଲା ଡିଜିଟାଇଜେସନ୍ ପ୍ରସ୍ତାବ ବିଚାରାଧୀନ, ଯାଞ୍ଚ ‌ଅପେକ୍ଷାରେ ୭ ଲକ୍ଷ ସତ୍ୟପାଠ

By amfnews Aug 4, 2019 #Featured
106 Views

କଟକ : ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ପଡ଼ିରହିଛି ପ୍ରାୟ ୭ ଲକ୍ଷ ସତ୍ୟପାଠ। ନିକଟ ଅତୀତରେ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠ ଡିଜିଟାଇଜ୍ ହେବା ପରେ ଯାଞ୍ଚ କରାଯିବ। ଏହିସବୁ ସତ୍ୟପାଠ ଡିଜିଟାଇଜେସନ୍ ପ୍ରସ୍ତାବ ପ୍ରସଂଗରେ କମିସନ୍ ସରକାରଙ୍କୁ ପ୍ରାୟ ୬ ମାସ ତଳେ ଚିଠି ଲେଖିଥିଲେ। ଏପରି ପ୍ରସ୍ତାବ ସରକାରଙ୍କ ନିକଟରେ ଏବେ ବିଚାରାଧୀନ ରହିଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ସତ୍ୟପାଠଗୁଡିକୁ ଡିଜିଟାଇଜେସନ୍ କରାଯିବ ଓ ଏହା ପରେ ଯାଞ୍ଚ ପ୍ରକ୍ରିୟାରେ ଅଗ୍ରଗତି ହେବ।

ଅନ୍ୟପକ୍ଷରେ ଗତ ଜୁଲାଇ ୧୨ରେ କମିସନ୍ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିଥିବା ବେଳେ ଏବେ ପୂର୍ବ ପର୍ଯ୍ୟାୟଗୁଡିକର ବିଚାରାଧୀନ ମାମଲାଗୁଡିକର ଶୁଣାଣି କରି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହା ପରେ କମିସନ୍ ନୂଆ ସତ୍ୟପାଠଗୁଡିକ ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବେ ନା ବୃହତ ଜମାକରୀଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନେବେ ତାହା ଅସ୍ପଷ୍ଟ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ରେ ଚିଟଫଣ୍ତ କମ୍ପାନିଗୁଡିକର ଶିକାର ବହୁ ଜମାକରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନ ଥିଲେ। ଏପରି ଜମାକରୀଙ୍କ ପାଇଁ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବାବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁ କମିସନଙ୍କୁ ଅନୁରୋଧ କରିଥିଲେ।

ଏହା ପରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ କମିସନ ବୃଦ୍ଧି କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀ ରେଜିଷ୍ଟ୍ରି, ସ୍ପିଡ୍‌ ପୋଷ୍ଟ ଓ କୋରିଅର ଜରିଆରେ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିଥିଲେ। ପ୍ରାୟ ୭ ଲକ୍ଷ ସତ୍ୟପାଠ ଏହି ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୋଲି ଅନୁମାନ କରାଯାଉଛି। ଏବେ କମିସନଙ୍କ ନିକଟରେ ପହଞ୍ଚିଥିବା ଲଫାପାଗୁଡିକରୁ ସତ୍ୟପାଠଗୁଡ଼ିକ ବାହାର କରାଯାଇ ସଜାଡ଼ି ରଖା‌ ଯାଉଛି। ଏହି ସତ୍ୟପାଠଗୁଡ଼ିକ ଡିଜିଟାଇଜେସନ୍ ପରେ ଯାଞ୍ଚ କରାଯାଇ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ।

By amfnews

Related Post