Sun. Mar 8th, 2026

ଜଳ ସଂପଦର ବିଭିନ୍ନ ପ୍ରକଳ୍ପର ମାରାଥନ୍‌ ସମୀକ୍ଷା : ପଦାଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସଚିବ

162 Views

ଭୁବନେଶ୍ବର, ଜାନୁଆରୀ ୨୦ : ସୁବର୍ଣ୍ଣରେଖା ନଦୀ ଅବବାହିକାଠାରୁ ଆରମ୍ଭ କରି ଅପର, ଲୋୟର ମହାନଦୀ, ଜାଇକା, ଡ୍ରେନେଜ୍‌, ଲୋୟର ସୁକ୍‌ତେଲ, ରେତ, ରୁକୁଡ଼ା ଜଳସେଚନ, ତେଲ୍‌ ଅବବାହିକା, ଉଠାଜଳସେଚନ, ଅବବାହିକା ଯୋଜନା, ଭୂତଳ ଜଳ ଆଦି ଜଳ ସଂପଦ ବିଭାଗ ଅଧୀନରେ ଥିବା ଅଧିକାଂଶ ପ୍ରକଳ୍ପ, ଯୋଜନାର ମାରାଥନ୍‌ ସମୀକ୍ଷା କରିଛନ୍ତିି ବିଭାଗୀୟ ପ୍ରମୁଖ ସଚିବ। କେଉଁ ପ୍ରକଳ୍ପର କାମ ମାତ୍ର ୧୨ ପ୍ରତିଶତ ସରିଛି, କେଉଁଠି ଜମି ଅଧିଗ୍ରହଣ ପ୍ରକ୍ରିୟା ଅଟକିଛି, ଅନ୍ୟ କେଉଁଠି କାମର ଅଗ୍ରଗତି ଅତ୍ୟନ୍ତ ମନ୍ଥର। ଏହିଭଳି ଅଧିକାଂଶ ପ୍ରକଳ୍ପ, ଯୋଜନାର ଅଗ୍ରଗତି ନେଇ ଭୀଷଣ ଅସନ୍ତୋଷ ଝାଡ଼ିଛନ୍ତି ଜଳ ସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା। ସଂପୃକ୍ତ ଯନ୍ତ୍ରୀ, ପଦାଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରତି ପ୍ରକଳ୍ପ, କାର୍ଯ୍ୟକ୍ରମ ସାରିବା ପାଇଁ ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି।

ସମୀକ୍ଷା ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୫୯୬ କୋଟିର ବ୍ୟୟବରାଦ କରାଯାଇଛି। ୨୦୧୮ ଡିସେମ୍ବର ଶେଷ ସୁଦ୍ଧା ଖର୍ଚ ହୋଇଛି ୩୪୪.୨୧ କୋଟି ଅର୍ଥାତ୍‌ ମୋଟ ବ୍ୟୟବରାଦର ୫୭.୭୫ ପ୍ରତିଶତ। ଏହି ପ୍ରକଳ୍ପର ଅଗ୍ରଗତି ନେଇ ଘୋର ଅସନ୍ତୋଷ ପ୍ରକାଶ କରି ନିର୍ଧାରିତ ସମୟ ସୁଦ୍ଧା ସାରିବାକୁ ସଂପୃକ୍ତ ମୁଖ୍ୟଯନ୍ତ୍ରୀ(ସିଇ) ଓ ବିଏମ୍‌ଙ୍କୁ ନିର୍ଦେଶ ଦେଇଥିଲେ। ଏଭଳି ମନ୍ଥର କାର୍ଯ୍ୟ ପାଇଁ ସେମାନଙ୍କୁ କୈଫିୟତ ତଲବ କରିବାକୁ ସେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ କହିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷ ନିମନ୍ତେ ଡ୍ରେନେଜ୍‌ ବିଭାଗକୁ ମୋଟ ୨୫୨.୮୦ କୋଟି ଖର୍ଚ କରିବାକୁ ମଞ୍ଜୁରି ମିଳିଛି। କିନ୍ତୁ ଡିସେମ୍ବର ଶେଷ ସୁଦ୍ଧା ଖର୍ଚ ହୋଇଛି ୧୦୫.୦୩ କୋଟି(୪୧.୯୦%)। ସମୀକ୍ଷାରୁ ଜଣାଯାଇଛି, ୪ଟି ଡ୍ରେନେଜ୍‌ ଡିଭିଜନ୍‌ ଯଥା: ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଓ ଭଦ୍ରକ ଡିଭିଜନ୍‌ର କାର୍ଯ୍ୟ ଅତ୍ୟନ୍ତ ମନ୍ଥର। ଏ ସମସ୍ତ ଡିଭିଜନ୍‌କୁ କୈଫିୟତ ମାଗିବାକୁ ପ୍ରମୁଖ ସଚିବ ନିର୍ଦେଶ ଦେଇଥିଲେ।

ଲୋୟର ମହାନଦୀ ବେସିନ୍‌ ପାଇଁ ୮୭୦.୮୦ କୋଟିର ବ୍ୟୟବରାଦ ହୋଇଛି। ଡିସେମ୍ବର ଶେଷ ସୁଦ୍ଧା ସେଥିମଧ୍ୟରୁ ଖର୍ଚ ହୋଇଛି ୪୮୯.୬୩ କୋଟି। ଖର୍ଚ ପ୍ରତିଶତ ୫୬.୨୩। କ୍ଷୁଦ୍ର ଜଳସେଚନ ପାଇଁ ଚଳିତ ବର୍ଷ ୭୭୩.୭୦ କୋଟିର ବ୍ୟୟବରାଦ ହୋଇଥିବା ବେଳେ ଗତ ୯ ମାସରେ ଖର୍ଚ ହୋଇଛି ୪୬୮.୩୧ କୋଟି ବା ୬୦.୫୩ ପ୍ରତିଶତ। ମେଗା ଲିଫ୍ଟ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୫୪୫ କୋଟି ମଞ୍ଜୁରି ହୋଇଛି। କିନ୍ତୁ ଖର୍ଚ ହୋଇଛି ୫୨.୭ ପ୍ରତିଶତ ବା ୮୧୪.୭୧ କୋଟି। ଏ ନେଇ ପ୍ରମୁଖ ସଚିବ ଭୀଷଣ ଅସନ୍ତୋଷ ଝାଡ଼ିଥିଲେ।

ଆନନ୍ଦପୁର ବ୍ୟାରେଜ୍‌ ପ୍ରକଳ୍ପରେ ୫୨୪.୨୪ କୋଟିର ବ୍ୟୟବରାଦ ହୋଇଥିବା ବେଳେ ଖର୍ଚ ହୋଇଛି ମାତ୍ର ୧୦୪.୪୧ କୋଟି। ଓଡ଼ିଶା ଉଠାଜଳସେଚନ ନିଗମର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୪୪୭ କୋଟିର ବ୍ୟୟବରାଦ ହୋଇଛି। କିନ୍ତୁ ସେଥିମଧ୍ୟରୁ ଖର୍ଚ ହୋଇଛି ମାତ୍ର ୪୭ କୋଟି। ଖର୍ଚ ହାର ମାତ୍ର ୧୦.୫୧ ପ୍ରତିଶତ। କାହ୍ନୁପୁର ଜଳସେଚନ ପ୍ରକଳ୍ପ ପାଇଁ ୪୨୨ କୋଟି ବ୍ୟୟବରାଦରୁ ଖର୍ଚ ମାତ୍ର ୧୨.୯୯ ପ୍ରତିଶତ ଖର୍ଚ ହୋଇଥିବା ବେଳେ ତେଲ୍‌ ଜଳସେଚନ ପ୍ରକଳ୍ପରେ ଖର୍ଚ ହାର ୨୯.୧୬ ପ୍ରତିଶତ ହୋଇଛି। ଲୋୟର ସୁକ୍‌ତେଲ ପ୍ରକଳ୍ପ ନେଇ କାମ ଆଦୌ ଆଗେଇନାହିଁ। ରାଜ୍ୟରେ ଭୂତଳ ଜଳ ବାବଦରେ ୫୪.୨୯ ପ୍ରତିଶତ ଖର୍ଚ ହୋଇଥିବା ସମୀକ୍ଷା କାଳରେ ଜଣାପଡ଼ିଛି। ସୂଚନାଯୋଗ୍ୟ, ଜଳ ସଂପଦ ବିଭାଗ ପ୍ରମୁଖ ସଚିବ ଶ୍ରୀ ଜେନା ରାଜୀବ ଭବନରେ ଗତ ୭, ୮, ୯ ଓ ୧୦ ତାରିଖ ଚାରିଦିନ ବ୍ୟାପୀ ବିଭିନ୍ନ ପ୍ରକଳ୍ପର ମାରାଥନ୍‌ ସମୀକ୍ଷା କରିଥିଲେ।

By amfnews

Related Post