ରିଜର୍ଭ ବ୍ୟାଙ୍କକୁ ପଚାରିଲେ ସୁପ୍ରିମକୋର୍ଟ ବ୍ୟାଙ୍କ କାହିଁକି ସୁଧ କମାଉ ନାହାନ୍ତି
ନୂଅାଦିଲ୍ଲୀ: ବ୍ୟାଙ୍କ ଗୁଡ଼ିକ ବିଫଳ ହେଲେ ଜମାକାରୀଙ୍କ ଟଙ୍କା କେତେ ସୁରକ୍ଷିତ ? ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ। ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍, ବିଚାରପତି ଭି କେ ରାଓ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି। ମାମଲାରେ ଦର୍ଶାଯାଇଛି ଯେ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଜମାକାରୀଙ୍କୁ ବୀମା ସୁବିଧା ପ୍ରଦାନ କରୁଛି। ଜମାରାଶି ସଞ୍ଚୟ, ମିଆଦି, ଚଳନ୍ତି ଏବଂ ପୌନଃପୁନଃ ହୋଇଥିଲେ ମଧ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଡିଆଇସିଜିସି ପ୍ରଦାନ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଡିଆଇସିଜିସି ହେଉଛି ରିଜର୍ଭ ବ୍ୟାଙ୍କର ଏକ ସହାୟକ ସଂସ୍ଥା। ଜମା ଉପରେ ଲୋକଙ୍କୁ ବୀମା ଏବଂ ଋଣ ସୁବିଧା ସଂକ୍ରାନ୍ତ ଗ୍ୟାରେଣ୍ଟି ପ୍ରଦାନ ପାଇଁ ୧୯୬୧ ମସିହାରେ ଏହି ସଂସ୍ଥା ଗଠନ ହୋଇଥିଲା। ଡିଆଇସିଜିସି ପକ୍ଷରୁ ମାତ୍ର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜମା ଉପରେ ବୀମା ସୁବିଧା ପ୍ରଦାନ କରାଯାଉଥିବାରୁ ଏହାକୁ ଚାଲେଞ୍ଜ କରି ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଜନସ୍ବାର୍ଥ ମାମଲା କରାଯାଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିବେକ ଟଣ୍ଡନ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ଯେ, ଦେଶରେ ୧୬ କୋଟି ୫୦ ଲକ୍ଷ ଆକାଉଣ୍ଟ ରହିଛି ଯେଉଁ ଗୁଡ଼ିକରେ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ରହିଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଥିବା ଦର୍ଶାଯାଇଛି। ତେବେ ଗତ ୨୫ ବର୍ଷ ମଧ୍ୟରେ ଏହି ବୀମା ସୁବିଧା ପ୍ରଦାନ ରାଶିରେ କୌଣସି ବୃଦ୍ଧି କରାଯାଇ ନାହିଁ।
କେନ୍ଦ୍ର ସରକାର ଓ ଡିଆଇସିଜିସି ପକ୍ଷରୁ ଶୁଣାଣି ବେଳେ କୁହାଯାଇଥିଲା ଯେ ୧ ଲକ୍ଷ ଟଙ୍କା ହେଉଛି କେବଳ ଏକ ତୁରନ୍ତ ରିହାତି। ବ୍ୟାଙ୍କ ସମ୍ପୂର୍ଣ୍ଣ ବିଫଳ ହେଲେ ଜମାକାରୀଙ୍କ ପାଇଁ ଏହା ଚୂଡ଼ାନ୍ତ ରିହାତି ନୁହେଁ। ତେବେ ଆଇନର କେଉଁ ବ୍ୟବ୍ୟସ୍ଥା ଅନୁଯାୟୀ ୧ ଲକ୍ଷ ଟଙ୍କା ତୁରନ୍ତ ରିହାତି ବୋଲି ଉଭୟ କେନ୍ଦ୍ର ସରକାର ଓ ଡିଆଇସିଜିସିର ଆଇନଜୀବୀ କୋର୍ଟକୁ ଜଣାଇବାରେ ବିଫଳ ହୋଇଥିଲେ।
ଫଳରେ କୋର୍ଟ କେତେ ଗୁଡ଼ିଏ ପ୍ରଶ୍ନ କରିଥିଲେ। ସେହି ପ୍ରଶ୍ନ ଗୁଡ଼ିକ ହେଲା ଆଇନ ଅଧୀନରେ କି ସୁରକ୍ଷା ରହିଛି? କେଉଁଠି ରହିଛି? ବ୍ୟାଙ୍କ ଖାତାରେ ହୋଇଥିବା ଜମାରାଶି ଉପରେ କ’ଣ ସୁରକ୍ଷା ରହିଛି? ଲୋକଙ୍କ ଜମାକୁ ସୁରକ୍ଷା ଦେବା ଲାଗି ଆଇନରେ କି ସୁରକ୍ଷା ଉପଲବ୍ଧ ଅଛି? କୋର୍ଟଙ୍କ ଏସବୁ ପ୍ରଶ୍ନର ଉତ୍ତର ଶପଥପାଠ ମାଧ୍ୟମରେ ଦେବାକୁ ଖଣ୍ଡପୀଠ ଉଭୟ କେନ୍ଦ୍ର ସରକାର ଓ ଡିଆଇସିଜିସିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟରେ ବ୍ୟାଙ୍କ ଜମା ଉପରେ ବୀମା ସୁବିଧା ୧ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦିଆଯାଇଥିବା ପରାମର୍ଶକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ଫ୍ଲୋଟିଂ ସୁଧ ହାରରେ ଋଣ ନେଉଥିବା ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ରେପୋ ହାର କମାଇବା ପରେ ମଧ୍ୟ ତଜ୍ଜନିତ ଲାଭ ପ୍ରଦାନରେ ବିଳମ୍ବ କରୁଛନ୍ତି। ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ସୁଧ ହାର ବହୁ ବିଳମ୍ବରେ ହ୍ରାସ କରୁଛନ୍ତି। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ସୁଧ ହାର ହ୍ରାସ କ୍ଷେତ୍ରରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ମନିଲାଇଫ ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଆବେଦନ କରିଥିଲା। ଏହାର ଉତ୍ତର ୬ ସପ୍ତାହ ମଧ୍ୟରେ ଦେବାକୁ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଖଣ୍ଡପୀଠରେ ବିଚାରପତି ଏସ କେ କୌଲ ଓ ବିଚାରପତି କେ ଏମ ଯୋଶେଫ ରହିଥିଲେ।