Sat. Mar 7th, 2026

ଜଣ୍ଡିସ୍‌ ଡାକୁଛି ବରଗଡ଼

336 Views

ବରଗଡ଼: ସମ୍ବଲପୁର ଜିଲ୍ଲାରେ ଜଣ୍ଡିସ୍ କାୟା ବିସ୍ତାର କରୁଛି। ବରଗଡ଼ରେ ସ୍ଥିତି ଯାହା, ଜଣ୍ଡିସ୍‌ ଆଶଂକା ସବୁବେଳେ ରହିଛି। କ୍ୟାନସର ପ୍ରବଣ ଏହି ଜିଲ୍ଲାରେ ପଲିଥିନ ବ୍ୟବହାର ଉପରେ କିଛି କଟକଣା ନାହିଁ। ମାତ୍ରାଧିକ ପଲିଥିନ୍‌କୁ କ୍ୟାନସରର ଅନ୍ୟତମ କାରଣ କୁହାଯାଉଛି। ବର୍ତମାନ ଖରା ଦିନରେ ଲୋକେ ପିଇବା ପାଣି ପାଇଁ ବିଭିନ୍ନ ଜଳସ୍ରୋତ ଉପରେ ନିର୍ଭର କରୁଛନ୍ତି। ହେଲେ ସମସ୍ତ ଜଳାଶୟ ଏବଂ ଜଳସ୍ରୋତରେ ମାରାତ୍ମକ ପଲିଥିନ ଭାସୁଛି। କିଛି ମାସ ପୂର୍ବରୁ ନିମ୍ନମାନର ପଲିଥିନ ବିକ୍ରି ଏବ˚ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ଚଢ଼ଉ ବି ହୋଇଥିଲା। ଚଢ଼ଉ ଭୟରେ ପଲିଥିନ ବ୍ୟବହାର ସାମାନ୍ୟ ବନ୍ଦ ହୋଇଥିଲା। କିନ୍ତୁ ଏବେ ବେଧଡ଼କ ପଲିଥିନ ବ୍ୟବହାର ଚାଲିଛି।

ପରିବେଶକୁ ସୁହାଉଥିବା ପ୍ଲାଷ୍ଟିକ୍‌ ଏବ˚ କାଗଜ ବ୍ୟାଗ୍‌ ପ୍ରଚଳନ ପାଇଁ ଗୁରୁତ୍ବାରୋପ କରାଯାଉଥିଲେ ହେଁ ଏହି ଅଭିଯାନ କିଛି କାଟୁ କରୁନାହିଁ। ସହରର ନାଳନର୍ଦ୍ଦମା ଏବଂ କେନାଲରେ ପଲିଥିନ୍‌ ଭାସୁଛି। କେବଳ ସହର ଭିତରେ ନୁହେଁ ଆଖପାଖର ପର୍ଯ୍ୟଟନସ୍ଥଳୀ, ପିକ୍‌ନିକ୍‌ ସ୍ପଟ୍‌ରେ ପଲିଥିନ ଉଡ଼ୁଛି। ସହରରୁ ଦୈନିକ ବାହାରୁ ଥିବା ୫୦ ପ୍ରତିଶତ ଆବର୍ଜନା ହେଉଛି ପଲିଥିନ। ଡ୍ରେନ୍‌ରେ ପଲିଥିନ ପଡ଼ି ଜାମ୍‌ ହେବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପାଣି ପାଉଚ୍‌ ଏବଂ ପ୍ଲାଷ୍ଟିକ୍‌ ଗ୍ଲାସ୍‌ର ବହୁଳ ବ୍ୟବହାର ମଧ୍ୟ ସମ୍ଭାବ୍ୟ ଜଣ୍ଡିସ୍‌ର କାରଣ ପାଲଟିବ। ସହରର ମୁଖ୍ୟ ରାସ୍ତାଗୁଡ଼ିକ ପ୍ଲାଷ୍ଟିକ୍‌ ଗ୍ଲାସ୍‌ ଏବଂ ପଲିଥିନରେ ପୋତି ହୋଇ ଗଲାଣି। ପୌରପ୍ରଶାସନ ପକ୍ଷରୁ ବାରମ୍ବାର ସଫେଇ ହେଲେ ବି ଲୋକେ ପଲିଥିନ ଏଣେତେଣେ ଫିଙ୍ଗିବା ଛାଡ଼ି ନାହାନ୍ତି। ତେଣୁ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଜଣ୍ଡିସ୍‌ ବ୍ୟାପିବା ଆଶଂକାକୁ ଏଡ଼ାଇ ଦିଆଯାଇନପାରେ।

By amfnews

Related Post