Sun. Mar 8th, 2026

ଜଙ୍ଗଲ ପାଖ ଗାଁରେ ବା‌ର୍‌ହା ଓ ମାଙ୍କଡ଼ଙ୍କ ଉତ୍ପାତ, ଲୋକେ ଅତିଷ୍ଠ

153 Views

ଅମ୍ବାଭୋନା : ଜଙ୍ଗଲଘେରା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗ୍ରାମଗୁଡିକରେ ଧାନ ଫସଲ ଅମଲ ହୋଇଥିବା ବେଳେ ଜଙ୍ଗଲରେ ରହୁଥିବା ବାର୍‌ହା ପଲ ଏବେ ଗାଁ ମୁହାଁ ହୋଇଛନ୍ତି। ଖଳାରେ ଥିବା ଧାନ ଫସଲ ଖାଇବା ସଂଗେ ସଂଗେ ଏହି ବାର୍‌ହା ପଲ ବ୍ୟାପକ ଭାବରେ ନଷ୍ଟ କରୁଛନ୍ତି। ବାର୍‌ହା କବଳରୁ ନିଜର ଉତ୍ପାଦନ କରାଯାଇଥିବା ଫସଲ ବଞ୍ଚାଇବାକୁ ଧାନ କ୍ଷେତରେ ଶାଢ଼ି ଲଗାଇ ବାର୍‌ହାଗୁଡ଼ିକୁ ଭୟଭୀତ କରାଯାଉଛି। ରାତିରେ ଚାଷୀମାନେ ଏକତ୍ରିତ ହୋଇ ଟିଣ ବଜାଇବା ସହ ବାଣ ଫୁଟାଇ ଏହି ବାର୍‌ହା ପଲଗୁଡିକୁ ଘଉଡାଉଛନ୍ତି।

ସେହିପରି ଜଙ୍ଗଲରେ ଥିବା ମାଙ୍କଡ଼ ଦଳ ଗାଁ ଭିତରକୁ ଆସି ବିଲ ଓ ଖଳାରେ ଥିବା ବିଭିନ୍ନ ପ୍ରକାର ପନିପରିବା ଖାଇବା ସହ ଘରର ଛାତ ଉପରେ ଡିଆଁଡିଇଁ କରିବା ଦ୍ୱାରା ଖପର ଭାଙ୍ଗିରୁଜି ନଷ୍ଟ ହେଉଛି। ଏହି ମାଙ୍କଡ ପଲ ଗାଁ ଭିତରେ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡିଛନ୍ତି। ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଛାତ ଉପରେ ବାଉଁଶ କଟା ଲଗାଯାଇଛି। ବ୍ଲକର ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ ଉତ୍ପାଦନ କରାଯାଇଥିବା ବେଳେ ମାଙ୍କଡ଼ ପଲ କିଆରିରେ ଦିନରାତି ପଶି ବହୁ ଚିନାବାଦାମ ଖାଇ ନଷ୍ଟ କରି ଦେଉଥିବାରୁ ଚାଷୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ମାଙ୍କଡ ଗୁଡିକ ମାରିବା ଏକ ଅପରାଧ ହୋଇଥିବା ବେଳେ ହିନ୍ଦୁମାନଙ୍କର ଦେବତା ରୂପେ ମାନ୍ୟତା ଦେବାରୁ ହନୁ ମାଙ୍କଡ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ସେହିପରି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବା ଆଇନ ବାହାର ବୋଲି ଜଙ୍ଗଲ ଘେରା ଗ୍ରାମଗୁଡିକରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବନ୍ୟଜନ୍ତୁଙ୍କ ଉପଦ୍ରବ ସଂପର୍କରେ ଜଙ୍ଗଲ ବିଭାଗ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ଜିଲ୍ଲା ବନ ବିଭାଗ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।

By amfnews

Related Post