Sat. Mar 7th, 2026

ଜଙ୍ଗଲ ଜମିରେ କୋଠା ନିର୍ମାଣ ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ତନାଘନା

165 Views

ରାଜନଗର : ଜଙ୍ଗଲ ଜମି ଓ ନଈ ଭିତରେ କୋଠା ନିର୍ମାଣ ଘଟଣା ନିର୍ମାଣକାରୀଙ୍କ ପାଇଁ ମହଙ୍ଗା ପଡିବ। ରାଜସ୍ବ ଓ ବନବିଭାଗର ମିଳିତ ସର୍ଭେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ତନାଘନା ଆରମ୍ଭ ହୋଇଛି। ବନ ବିଭାଗରେ ଏ ନେଇ ମାମଲା ରୁଜୁ କରାଯିବ। ଜିଲ୍ଲାପାଳ ଓ ରାଜନଗର ତହସିଲଦାରଙ୍କୁ ସମସ୍ତ ନିର୍ମାଣ ଭାଙ୍ଗିବା ପାଇଁ ଡିଏଫ୍‌ଓ ଲିଖିତ ଭାବେ ଜଣାଇବେ। ବେଆଇନ ନିର୍ମାଣ ସଂପର୍କରେ ଚୁପ୍‌ ଥିବା ଓ ଦାୟିତ୍ବରେ ଅବହେଳା କରିଥିବା ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

ତାଳଚୁଆ ବୈତରଣୀ ନଦୀ ପଠାରେ ଜଙ୍ଗଲ ଜମିରେ ବେଆଇନ ଭାବେ ଅଧକୋଟିରୁ ଅଧିକ ଟଙ୍କାର ଘର, ପାଚେରି, ପିଣ୍ତି, କଂକ୍ରିଟ ରାସ୍ତା ଓ ପମ୍ପ୍‌ ହାଉସ ନିର୍ମାଣ କରାଯାଇଛି। ଲୁଣା ଜଙ୍ଗଲ କାଟି ସଫା କରି ଦିଆଯାଇଛି। ଜୁଆର ଯା’ଆସ କରୁଥିବା ନଦୀପଠାରେ ଖମ୍ବ ଉଠାଇ ପାଚେରି ଓ ଘର ନିର୍ମାଣ କରାଯାଇଛି। ବର୍ଷେ ହେଲା ଏହି ବେଆଇନ ନିର୍ମାଣ ଚାଲିଥିଲେ ମଧ୍ୟ ବନବିଭାଗ ଓ ରାଜସ୍ବ ବିଭାଗ ଚୁପ୍‌ ବସିଥିଲା। ‘ସମ୍ବାଦ’ରେ କ୍ରମାଗତ ଭାବେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଗତକାଲି ରାଜସ୍ବ ଓ ବନବିଭାଗ ପକ୍ଷରୁ ମିଳିତ ସର୍ଭେ ଓ ମାପ କରାଯାଇଥିଲା। କନିକା ରେଂଜ ଅଫିସର ସୁଶ୍ରୀ ସ୍ବାତ୍ତୀ ମହାନ୍ତି, ରାଜନଗର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମହାନ୍ତିଙ୍କ ନେତୃତ୍ବରେ ଉଭୟ ବିଭାଗ ମାପଚୁପ କରିଥିଲେ। ମାପଚୁପ ପରେ ସମସ୍ତ ନିର୍ମାଣ ବେଆଇନ ବୋଲି ସ୍ପଷ୍ଟ ହୋଇଥିଲା। ପାଚେରି, ମାଛ ବିକ୍ରି ପିଣ୍ତି, ୫ଟି ଘର, ପମ୍ପହାଉସ ଓ କଂକ୍ରିଟ ରାସ୍ତା ପ୍ଲଟ ନଂ. ୨ ଖାତା ନଂ. ୧୨୮ରେ ଥିବା ୧୯ ଏକର ୫ ଡିସିମିଲ ଗ୍ରାମ୍ୟ ଜଙ୍ଗଲ ଉପରେ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଆଜି ମିଳିତ ସର୍ଭେ ରିପୋର୍ଟ ରାଜନଗର ଡିଏଫ୍‌ଓଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଆସିବା ପରେ ଉଭୟ ବିଭାଗରେ କାର୍ଯ୍ୟାନୁଷ୍ଠାନ ପାଇଁ ତନାଘନା ଆରମ୍ଭ ହୋଇଛି। ଗ୍ରାମ୍ୟ ଜଙ୍ଗଲ କିସମ ଜମି ତଥା ଫରେଷ୍ଟର ଓ ତାଳଚୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ୩ଶହ ମିଟର ଦୂରରେ ଏହି ନିର୍ମାଣ କିପରି ଚାଲିଥିଲା ସେ ନେଇ ସବୁ ମହାଲରେ ସନ୍ଦେହ ପ୍ରକାଶ ପାଇଛି। ନିର୍ମାଣକାରୀ ସିଆରଜେଡ ଆଇନ ଉଲ୍ଲଂଘନ କରି ନଦୀପଠାରେ ଖମ୍ବ ଉଠାଇ ଘର ନିର୍ମାଣ କରିଥିବାରୁ, ଜୁଆରକୁ ଅଟକାଇ ପାଚେରି, ପିଣ୍ତି ନିର୍ମାଣ କରିଥିବାରୁ ଓ ନିର୍ମାଣ ପାଇଁ ବିରଳ ଲୁଣାଜଙ୍ଗଲକୁ କାଟି ସଫା କରିଦେଇଥିବାରୁ ସେମାନଙ୍କ ନାଁରେ କନିକା ରେଂଜ କାର୍ଯ୍ୟାଳୟରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

By amfnews

Related Post