Sat. Mar 7th, 2026

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ଇଂଲିଶ ଏଚ୍‌ଓଡି

246 Views

ବାରିପଦା : ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଗିରଫ ହେଲେ ବାରିପଦାସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡି ବିଦ୍ୟାଧର ଅଣ୍ଡିଆ। କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି  ରହିଥିଲା। ଏହାଦେଖି କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି କି ରହିଥିଲେ। ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

ପୂରା ଘଟଣାଟି ଥିଲା ଏହିପରି।  ଗତ ୧୫ ତାରିଖରେ ଇଂଲିଶ ପିଜିର ଜଣେ ଶେଷ ବର୍ଷର ଛାତ୍ରୀ ମହାବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ସେ ଏକୁଟିଆ ଥିବା ସୁଯୋଗ ନେଇ ଡିପାର୍ଟମେଣ୍ଟ୍‌ର ହେଡ୍‌ ବିଦ୍ୟାଧର ଅଣ୍ଡିଆ ସେଠାକୁ ଆସି ତାଙ୍କୁ ଅସଦାଚରଣ କରିଥିଲେ।  ମାତ୍ର କୌଶଳ କ୍ରମେ ସେ ସେଠାରୁ ଖସି ପଳାଇଥିଲେ। ପରେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ୍‌ କମିଟିକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ୱ ହେଉଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଛାତ୍ରୀମାନେ ଗତକାଲି ମହାବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ।

ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ  ଏଚଓଡି ବିଦ୍ୟାଧର ଅଣ୍ଡିଆଙ୍କୁ ଛୁଟିରେ ଯିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ  ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ନସରିବା ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗଦେଇପାରିବେ ନାହିଁ ବୋଲି  ମଧ୍ୟ କୁହାଯାଇଥିଲା । ମାତ୍ର ସେ କଲେଜ ପରିସରରେ ଲୁଚି ରହିଥିବା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ।

By amfnews

Related Post