Sat. Mar 7th, 2026

ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ନିୟମ କଡ଼ାକଡ଼ି, କ୍ଲାସ୍‌ ନ କଲେ ଅଭିଭାବକଙ୍କୁ ଚିଠି

211 Views

ଭୁବନେଶ୍ବର : ବହୁତ ହୋଇଗଲା। ଛାତ୍ରଛାତ୍ରୀଙ୍କ ଲାଗି ଆଉ କୋହଳ ମନୋଭାବ ପୋଷଣ କରାଯିବ ନାହିଁ। ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ। ଯେଉଁ ଛାତ୍ରଛାତ୍ରୀ ନିୟମିତ ଭାବେ କ୍ଲାସ୍‌ରେ ଅନୁପସ୍ଥିତ ରହୁଥିବେ, ସେମାନଙ୍କ ଅଭିଭାବକଙ୍କ ନିକଟକୁ ଚିଠି ପଠାଯିବ। ଏସ୍‌ଏମ୍‌ଏସ୍‌, ଫୋନ୍‌ ଯୋଗେ ମଧ୍ୟ ଅବଗତ କରାଯିବ। ସେପ୍ଟେମ୍ବର ୭, ୧୪ ଓ ୨୧ରେ ଯଥାକ୍ରମେ ଯୁକ୍ତ ୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକ-ଅଧ୍ୟାପକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ କ୍ଲାସ୍‌କୁ ଆସୁଛନ୍ତି କି ନାହିଁ, ପାଠପଢ଼ୁଛନ୍ତି କି ନାହିଁ, ସେମାନେ କେତେଟା କ୍ଲାସ୍‌ କରୁଛନ୍ତି ସେନେଇ ଅଭିଭାବକଙ୍କୁ ଅବଗତ କରାଯିବ। ଯଦି କୌଣସି ଅଭିଭାବକ ଅନୁପସ୍ଥିତ ରହନ୍ତି, ତେବେ ତାଙ୍କ ପିଲାଙ୍କ ଉପସ୍ଥାନ ସହ କ୍ୟାମ୍ପସର କାର୍ଯ୍ୟକଳାପ ନେଇ ଅଧ୍ୟକ୍ଷମାନେ ଚିଠି ମାଧ୍ୟମରେ ଜଣାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନୈରାଶ୍ୟଜନକ ହେଉଥିବାରୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ କ୍ଲାସ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ହେବା ଦରକାର। ଯେଉଁମାନେ ନିୟମିତ କ୍ଲାସ୍‌ କରୁନାହାନ୍ତି, ସେମାନଙ୍କୁ ସେମିଷ୍ଟର୍‌ ପରୀକ୍ଷାରୁ ବାଦ୍‌ ଦିଆଯାଉ। ଏବେ ଦେଖାଯାଉଛି ଯେ ପିଲାମାନେ କ୍ୟାମ୍ପସକୁ ଆସୁଥିଲେ ମଧ୍ୟ କ୍ଲାସ କରୁନାହାନ୍ତି। କଳା, ବିଜ୍ଞାନ ଅପେକ୍ଷା ବାଣିଜ୍ୟ ବିଭାଗର ଅଧିକ ପିଲା କ୍ଲାସ୍‌ କରୁନାହାନ୍ତି। ସେମାନେ କ୍ଲାସ୍‌ କରିବା ବଦଳରେ କୋଚିଂ ସେଣ୍ଟର ଉପରେ ଫୋକସ୍‌ କରୁଛନ୍ତି। ‌ତେଣୁ କଲେଜ ଅଧ୍ୟକ୍ଷମାନେ ଏଥିପ୍ରତି ଦୃଷ୍ଟି ହେବାର ଆବଶ୍ୟକତ‌ା ରହିଛି।

ଅନ୍ୟପକ୍ଷରେ ବାଣିଜ୍ୟ ବିଭାଗରେ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ‌ଯେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା‌ ମଡେଲ୍‌ ଡିଗ୍ରି କଲେଜରେ ବାଣିଜ୍ୟ ବିଭାଗରେ ବି ସିଟ୍‌ ଖାଲି ପଡ଼ିଛି। ସାମ୍‌ସ ୱେବସାଇଟ୍‌ ତଥ୍ୟ କହୁଛି, ୨୦୧୮-୧୯ ଶିକ୍ଷାବର୍ଷରେ ଡିଗ୍ରି କଲେଜଗୁଡ଼ିକରେ ବାଣିଜ୍ୟ ବିଭାଗରେ ୩୧ହଜାର ୪୪୭ ସିଟ୍‌ ରହିଥିଲା। ସେଥିମଧ୍ୟରୁ ୨୦ ହଜାର ୧୬ ସିଟ୍‌ ପୂରଣ ହୋଇଥିଲା। ୨୦୧୯-୨୦ରେ ଖାଲି ସିଟ୍‌ ସଂଖ୍ୟା ଆହୁରି ବଢ଼ିଛି। ଏଥର ୩୧ ହଜାର ୮୨୭ ସିଟ୍‌ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ଏବେ ସୁଦ୍ଧା ମାତ୍ର ୧୬ହଜାର ୧୧୭ ସିଟ୍‌ ପୂରଣ ହୋଇଛି। ଆହୁରି ୧୫ ହଜାର ୭୧୦ ଅର୍ଥାତ୍‌ ପ୍ରାୟ ୪୮ ପ୍ରତିଶତ ସିଟ୍‌ ବଳକା ରହିଛି। କ’ଣ ପାଇଁ ବାଣିଜ୍ୟରେ ପିଲା କମୁଛନ୍ତି, ତାହା ଉପରେ କଲେଜ କର୍ତୃପକ୍ଷ ତର୍ଜମା କରିବା ସହ ଛାତ୍ରଛାତ୍ରୀ କିଭଳି କ୍ଲାସକୁ ଆସିବେ ଏବଂ କିପରି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦେଶ ଦେଇଛନ୍ତି।

By amfnews

Related Post