Mon. Nov 25th, 2024

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା ଚିନ୍ତା

By amfnews Nov 8, 2018 #Featured
184 Views

ଛତିଶଗଡ଼, ନଭେମ୍ବର ୮: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ବର୍ଡରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ସୀମାନ୍ତବର୍ତ୍ତୀ ୮ ଜିଲ୍ଲା ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନିର୍ବାଚନ ସମୟରେ ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ପଟୁ ଯେଭଳି ମଦ କି କଳା ଟଙ୍କା ଛତିଶଗଡ଼ରେ ପ୍ରବେଶ ନକରେ ତା’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହିତ କମ୍ବିଂ ଅପରେସନ୍ ବି ଜୋରଦାର୍ କରାଯାଇଛି।

ଗୋଟିଏ ପଟେ ଛତିଶଗଡ, ଅନ୍ୟପଟେ ଓଡିଶା ପୁଲିସ୍‌ର ଜୋରଦାର ଚେକିଂର ଦୃଶ୍ୟ ଦେଖିବାକୁ ମିଳିଛି। ନୂଆପଡ଼ାର ଖରିଆର ରୋଡ୍ ଓ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ଟେମରି ଗାଁରେ ପୁଲିସ୍‌ର ଯାଞ୍ଚ ଚାଲିଛି।

ଆସନ୍ତା ୧୨ରେ ଛତିଶଗଡ଼ର ମାଓ ପ୍ରଭାବିତ ୧୨ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ନଭେମ୍ବର୨୦ରେ ହେବ।

ନୂଆପଡ଼ା ସମେତ ଛତିଶଗଡ଼ ବର୍ଡରକୁ ଲାଗିଥିବା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ବି ପୁଲିସ୍‌ର କଡ଼ା ପହରା ପାଇଁ ନିର୍ବାଚନ କମିଶନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବର୍ଡର ସିଲ୍ କରିବାକୁ ମଧ୍ୟ କୁହାଯାଇଛି।

ନିର୍ବାଚନ କମିଶନ୍‌ଙ୍କ ଫୋକସ୍‌ରେ ରହିଛି ମଦ, ଗଞ୍ଜେଇ ଓ କଳାଟଙ୍କାର ବ୍ୟବହାରକୁ ରୋକିବା। ସେଥିପାଇଁ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସୀମାନ୍ତରେ ଥିବା ସବୁ ମଦ ଦୋକାନ ଯେମିତି ବନ୍ଦ ରହିବ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

କିଛି ଦିନ ପୂର୍ବରୁ ଦାନ୍ତେଓ୍ୱାଡ଼ାରେ ୩ ସିଆର୍‌ପିଏଫ୍‌ ଯବାନ ଓ ଡିଡି ନ୍ୟୁଜ୍‌ର କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ତେଣୁ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଥିବା ଜଣାପଡ଼ିଛି।

ଏଥିପାଇଁ ଓଡିଶା ସୀମାନ୍ତ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ଛତିଶଗଡ଼ ସହ ସମନ୍ୱୟ ବୈଠକ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସେପଟେ ଛତିଶଗଡ଼ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗର ଅଧିକାରୀମାନେ ଗତ ଦୁଇଦିନ ତଳେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ କରି ସମୀକ୍ଷା କରିଛନ୍ତି।

By amfnews

Related Post