81 Views
ବାଲେଶ୍ୱର, ଜାନୁଆରୀ ୧୨ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ଝାଡେଶ୍ୱରପୁର ବସ୍ତିକୁ ଚଢଉ ପାଇଁ ଯାଇଥିବା ସମୟରେ ଅବକାରୀ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗ୍ରାମବାସୀମାନେ ଅବକାରୀ ବିଭାଗର ଜଣେ ଏଏସ୍ଆଇଙ୍କ ସହ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।
ଝାଡେଶ୍ୱର ଗ୍ରାମର ସେକ୍ ମନୁଆ ବେଆଇନ ବ୍ରାଉନସୁଗାରର କାରବାର କରୁଥିବା ଖବର ପାଇ କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ କରିଥିଲା । ଏଥିରେ ଜଣେ ମହିଳା ଏଏସ୍ଆଇ ମଧ୍ୟ ସାମିଲ ଥିଲେ । କିନ୍ତୁ ଗ୍ରାମବାସୀମାନେ ଟିମ୍କୁ ବିରୋଧ କରିଥିଲେ । ଏଏସ୍ଆଇଙ୍କ ସହ ୪ ଜଣ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଥିଲେ । ଏହା ସହିତ ସେମାନଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଉତ୍ୟକ୍ତ ଗ୍ରାମବାସୀମାନେ ଅବକାରୀ ବିଭାଗର ଗାଡି ଚାବି ଛଡାଇ ନେଇ ଯାଇଥିବା ଅଭିଯୋଗ ହୋଇଛି ।
ଗ୍ରାମବାସୀଙ୍କ କହିବା ମୁତାବକ ସେକ୍ ମନୁଆ ପୂର୍ବରୁ ବ୍ରାଉନସୁଗାର କାରବାର କରୁଥିଲେ । ମାତ୍ର ସେ କିଛି ଦିନ ହେବ ଆଉ ଏହି କାର୍ଯ୍ୟ କରୁ ନାହାଁନ୍ତି । ତେଣୁ ତାଙ୍କୁ ଉଦ୍ଦେଶ୍ୟ ମୂଳକଭାବେ ଏଥିରେ ଟଣା ଯାଉଛି ବୋଲି ଲୋକମାନେ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିଛି ।