Sat. Nov 16th, 2024

ଚୂଲିମୁଣ୍ଡରୁ ସୁଆଦିଆ କେକର ଯାତ୍ରା,ସାରା ଓଡ଼ିଶାର ପାଟି କରିଦିଅନ୍ତି ମିଠା

By amfnews Sep 22, 2019 #Featured
114 Views

ରାଉରକେଲା  : ଇଛାଶକ୍ତି ଥିଲା କିନ୍ତୁ ପାଖରେ ନଥିଲା ସେଭଳି ବଡ ପୁଞ୍ଜି | ଯେଉଁଥିପାଇଁ କିଛି କରିବାର ଆଶା ଥିଲେ ବି ନିଜର ସ୍ୱପ୍ନର ବ୍ୟବସାୟ ଆରମ୍ଭ କରିପାରୁନଥିଲେ ସୁନ୍ଦରଗଡ ଝିରପାଣିର କିଛି ମହିଳା | ତେବେ ଦିନକୁ ଦିନ କିଛି ନୂଆ କରିବାର ଆଗ୍ରହ ସେମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ଟିଏ ଗଠନ କରିଥିଲେ | ଜାଣନ୍ତୁ ଆପଣଙ୍କୁ ପାଟିକୁ ମିଠା କରିଦେଉଥିବା ଏହି ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ |

ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ | ଏହି ଜିଲ୍ଲାର ଝିରପାଣିରେ ମହିଳାମାନେ ନିଜ ଚିରାଚରିତ ଜୀବନ ବଞ୍ଚୁଥିଲେ | କିନ୍ତୁ ୨୦୦୯ରେ କିଛି ମହିଳା ନୂଆ କରିବାର ସ୍ବପ୍ନ ଦେଖିଥିଲେ, ଆଉ ଗଠନ କରିଥିଲେ ଦିବ୍ୟଜ୍ୟୋତି ଏସଏଚଜି | ଏସଏଚଜିର ମହିଳାମାନେ ପାଉଁରୁଟି ଓ କୁକିଜ ପ୍ରସ୍ତୁତି କରିବାକୁ ଚିନ୍ତା କରିଥିଲେ | ଏହାପରେ ନିଜର କିଛି ସଂଚିତ ଅର୍ଥ ସହ ବ୍ୟାଙ୍କରୁ ଋଣ ଆଣି ପାଉଁରୁଟି ଓ ବିସ୍କୁଟ ପ୍ରସ୍ତୁତ କରିବାର ସାମଗ୍ରୀ ଓ ଯନ୍ତ୍ରପାତି କିଣିଥିଲେ | କିନ୍ତୁ ଉପଯୁକ୍ତ ତାଲିମ ଅଭାବରୁ ପ୍ରଥମେ ସେତେଟା ସଫଳତା ପାଇନଥିଲେ | ଏହାପରେ କର୍ଣ୍ଣାଟକ ବାଙ୍ଗାଲୋରରେ ଥିବା ଜଣେ କେକ ଏକ୍ସପର୍ଟଙ୍କ ସହ ଏହି ମହିଳାମାନେ ଯୋଗାଯୋଗ କରିଥିଲେ | କେକ ବିଶେଷଜ୍ଞ ଜଣକ ମହିଳାମାନଙ୍କୁ ତାଲିମ ଦେବା ସହ କିଭଳି କେକ ପ୍ରସ୍ତୁତି ପରେ ଅଧିକ ଦିନ ଯାଏଁ ରଖିହେବ ତାହା ବାବଦରେ ବୁଝାଇଦେଇଥିଲେ |

ଏହାପରେ ପଛକୁ ଫେରି ଚାହିଁନାହାନ୍ତି ଏହି ମହିଳାମାନେ | ବର୍ତ୍ତମାନ ୪୫ ପ୍ରକାରର ପାଉଁରୁଟି,କେକ,ପେଟିସ ଓ ପିଜା ପ୍ରସ୍ତୁତ କରୁଛନ୍ତି ଓ ସ୍ଥାନୀୟ ଅଂଚଳରେ ବିକ୍ରୟ କରୁଛନ୍ତି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାମାନଙ୍କ କେକ ଓ ପେଟିସର ସ୍ୱତନ୍ତ୍ର ଚାହିଦା ସାରା ଓଡ଼ିଶାରେ ରହିଛି | ଓଡ଼ିଶାର ଯେ କୌଣସି ସ୍ଥାନରେ ମେଳା ପଡିଲେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ ଦେଖିବାକୁ ମିଳେ | ମେଳାକୁ ଆସିଥିବା ଲୋକଙ୍କର ମଧ୍ୟ ଏମାନଙ୍କ ଷ୍ଟଲ ଉପରେ ଭିଡ ଲାଗିଥାଏ | ସେଥିପାଇଁ ତ ଅଳ୍ପ କିଛି ସଞ୍ଚିତ ଅର୍ଥରୁ ଏବେ ଏମାନଙ୍କ ବାର୍ଷିକ ଆୟ ୭.୫ ଲକ୍ଷ ଟଙ୍କାରେ ପହଂଚିପାରିଛି |

By amfnews

Related Post