ନୂଆଦିଲ୍ଲୀ,ଜୁନ୦୧: ଆଇଏନଏକ୍ସ ମିଡିଆ କେସରେ ଚିଦମ୍ବରମ ପରିବାରଙ୍କ ପାଇଁ ମୁସ୍କିଲ ଥମିବାର ନାଁ ନେଉ ନାହିଁ। ଏହି ମାମଲାରେ କେତେ ବେଳେ ଚିଦମ୍ବରମଙ୍କ ଅଡୁଆରେ ବଢୁଥିବା ବେଳେ ଆଉ କେତେ ବେଳେ ପୁତ୍ର କାର୍ତ୍ତି ଚିଦମ୍ବରମଙ୍କ ଅଡୁଆ ବଢୁଛି। ଏହି କ୍ରମରେ ଏବେ ସିବିଆଇ ଆଇଏନଏକ୍ସ ମିଡିଆରେ ବିଦେଶୀ ନିବେଶର ମଞ୍ଜୁରୀରେ ହୋଇଥିବା ଅନିୟମିତତା ମାମଲାରେ ଜେରା ପାଇଁ ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜୁନ ୬ରେ ହାଜର ହେବାକୁ କହିଛି।
ଆଇଏନଏକ୍ସ ମିଡିଆର ଆରମ୍ଭ ମିଡିଆ କ୍ଷେତ୍ରର ପୂର୍ବତନ ବଡ଼ ହସ୍ତୀ ପିଟର ମୁଖାର୍ଜୀ ଓ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀ କରିଥିଲେ। ସୂତ୍ର ମୁତାବକ ଚିଦାମ୍ବରମଙ୍କୁ ଗୁରୁବାର ଏହି ମାମଲାରେ ଜେରା ପାଇଁ ଡକାଯାଇଥିଲା। ମାତ୍ର ସେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ନୋଟିସର ପାଳନ ପାଇଁ ଅନ୍ୟ କୌଣସି ତାରିଖ ମାଗିଥିଲେ।
ଦିଲ୍ଲୀ ହାଇକୋର୍ଟ ଗୁରୁବାର ଚିଦାମ୍ବରମଙ୍କୁ ଏହି ମାମଲାରେ ଆଶ୍ଵସ୍ତି ଦେଇ ଜୁଲାଇ ୩ ପର୍ୟ୍ୟନ୍ତ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଥିଲା। ଆଇଏନଏକ୍ସ ମିଡିଆକୁ ମିଳିବାକୁ ଥିବା ୩୦୫ କୋଟି ଟଙ୍କା ପାଇଁ ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ଦେବା ପ୍ରକ୍ରିୟାରେ ଚିଦାମ୍ବରମଙ୍କ ଭୂମିକା ଏଜେନ୍ସିଙ୍କ ଯାଞ୍ଚ ଘେରକୁ ଆସିଛି।
ଆଇଏନଏକ୍ସ ମିଡିଆକୁ ୨୦୦୭ରେ ବିଦେଶରୁ ମିଳିଥିବା ୩୦୫ କୋଟିରେ ହୋଇଥିବା ଅନିୟମିତତା ଏବଂ ଏଫଆଇପିବିରୁ ମଞ୍ଜୁରୀ ମିଳିବା ମାମଲାରେ ସିବିଆଇ ଗତ ବର୍ଷ ମେ ୧୫ରେ ଏଫଆଇଆର ରୁଜୁ କରିଥିଲା। ସେହି ସମୟରେ ଚିଦମ୍ବରମ କେନ୍ଦ୍ର ସରକାରରେ ଅର୍ଥ ମନ୍ତ୍ରୀ ଥିଲେ।
ପି.ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କୁ ଏହି ମାମଲାରେ କଥିତ ୧୦ ଲକ୍ଷ ଟଙ୍କା ନେବା ଅଭିଯୋଗରେ ସିବିଆଇ ଗିରଫ କରିଥିଲା।