ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟୁଇଟକୁ ନେଇ ଏବେ ପୁଣିଥରେ ରାଜନୀତି ପାଣିପାଗ ଗୋଳିଆ ହୋଇପଡିଛି । ଶ୍ରୀମତୀ ସାମନ୍ତରାୟ ତାଙ୍କ ଟୁଇଟରେ ଉଲେଖ କରିଛନ୍ତି ଯେ, ଜଣେ ମନ୍ତ୍ରୀଙ୍କ ପୁଅକୁ ସିବିଆଇର ନୋଟିସ ପରେ ଏବେ ବିଜେଡି ଦଳ ପୁଣି ପ୍ରମାଣିତ କରିଛି ସେମାନେ ଚୋର, ଖଣ୍ଟ, ଦଲାଲ ଓ ଅପରାଧୀଙ୍କ ଦଳ । ଏପରିକି ବିଜେଡିର ନେକଷ୍ଟ ଜେନେରସନ କଥା କହି ଯାହା ବାପା ଚଢେ ଘୋଡା ତା ପୁଅ ଥୋଡାଥୋଡା ବୋଲି ତାଙ୍କ ଲେଖା ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି ।
ଶ୍ରୀମତୀ ସାମନ୍ତସିଂହାର ବିଜେଡିକୁ କଟାକ୍ଷ କରି ବାଦୁଡି ଭଳି ଜେଲରେ ପଡୁଥିବା କଥା ଉଲେଖ କରିଛନ୍ତି । ଏପରିକି ଜଣେ ମନ୍ତ୍ରୀଙ୍କ ପୁଅ ନାଁ ଚର୍ଚ୍ଚାକୁ ଆସବା ପରେ ସ୍ବଚ୍ଚ ଭାବମୂର୍ତ୍ତି କଥା କହୁଥିବା ମୁଖ୍ୟମନ୍ତ୍ରୀ ଚୁପ କାହିଁକି ଏହାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ପାଟି ଖୋଲିଲେ ନବୀନ ନିବାସ ଆଡୁ ଚେର ବାହାରିବ କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।
ତେବେ କିଏ ସେ ମନ୍ତ୍ରୀ । ତାଙ୍କ ପୁଅ କିଏ । ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ପୂର୍ବରୁ ଚିଟଫଣ୍ଜ ସଂସ୍ଥା ସହ କାରବାର ଅଭିଯୋଗରେ ବିଜେଡିର ବିଧାୟକ, ସାଂସଦ ମାନେ ଗିରଫ ହୋଇ ଜେଲ ଯାଇ ବେଲରେ ଅଛନ୍ତି । କିଛି ମନ୍ତ୍ରୀଙ୍କ ସମ୍ପର୍କୀୟ, ମନ୍ତ୍ରୀଙ୍କ ନିକଟତର ଲୋକ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଏପରି ସ୍ଥିତିରେ ଆଉ ଜଣେ ମନ୍ତ୍ରୀଙ୍କ ପୁଅ ସମନ ହେବା ତାଙ୍କ କାର୍ଯ୍ୟାଳୟରେ ସିବିଆଇ ଯାଞ୍ଚ କରିବା ଖବର ପ୍ରଚାର ହେବା ପରେ କିଏ ସେ ମନ୍ତ୍ରୀ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।