Sat. Nov 23rd, 2024

ଚାଞ୍ଚଲ୍ୟ: ସ୍କୁଟି ଟାୟାର ପଙ୍କଚର କରିବା ପରେ ସାହାଯ୍ୟର ହାତ ବଢ଼ାଇ ମହିଳା ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା

By amfnews Nov 30, 2019 #Featured
123 Views

ହାଇଦ୍ରାବାଦ୍: ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ କିରୋସିନ ଢ଼ାଳି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ପରେ ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି‌ ନେଇଛି। ମୃତ ପୀଡ଼ିତାଙ୍କ ନାମ ପ୍ରିୟା (ଛଦ୍ମନାମ) ବୋଲି ଜଣା ପଡ଼ିଥିବା ବେଳେ ସେ ଶମ୍ସାବାଦର କୋଲ୍ଲୁରୁ ସ୍ଥିତ ପଶୁ ଡାକ୍ତରଖାନାରେ କାମ କରୁଥିଲେ ବୋଲି ଜଣା ପଡ଼ିଛି। ୪ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ଟ୍ରକ୍ ଚାଳକ ଓ ଜଣେ ସଫେଇ କର୍ମଚାରୀ ଥିବା ସୂଚନା ମିଳିଛି।

ପୁଲିସର କହିବା ମୁତାବକ, ୪ଜଣ ଅଭିଯୁକ୍ତ ଜାଣିଶୁଣି ପ୍ରଥମେ ପୀଡ଼ିତାଙ୍କ ଟାୟାର ପଙ୍କଚର କରିବା ସହ ପରେ ସାହାଯ୍ୟର ହାତ ବଢ଼ାଇଥିଲେ। ପରେ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେଇଯିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ମାତ୍ର ଧରା ପଡ଼ିବା ଡ଼ରରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଓଢ଼ଣିରେ ଗୁଡ଼ାଇ ଆଣି ଓଭରବ୍ରିଜ୍ ତଳେ ଫିଙ୍ଗି ଦେଇଥିଲେ। ଏହା ପ‌ରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ହତ୍ୟା କରାଯାଇଥିବା ସ୍ଥାନରୁ ୨୫କିଲୋମିଟର ଦୂରରେ ପୀଡ଼ିତାଙ୍କ ମୃତଦେହକୁ ପୋଡ଼ାଯାଇଥିଲା ବୋଲି କହିଛି ପୁଲିସ।

ପ୍ରିୟାଙ୍କ ଭଉଣୀଙ୍କ କହିବା ମୁତାବକ, ୯ଟା ୨୨ମିନିଟରେ ପ୍ରିୟଙ୍କା ମୋତେ ଫୋନ କରି ଟାୟାର ପଙ୍କଚର ବିଷୟରେ ଜଣାଇଥିଲେ। ଏହା ସହ ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିବା କିଛି ଯୁବକଙ୍କୁ ଦେଖି ସେ ଡ଼ରି ଯାଇଥିବା କଥା ମୋତେ ଜଣାଇଥିଲେ। ପ୍ରିୟଙ୍କା ଗାଡ଼ି ଷ୍ଟାର୍ଟ କରି ଆଗକୁ ଆସୁଥିବା ବେଳେ ସେମାନେ ପଛରୁ, ମ୍ୟାଡାମ ଗାଡ଼ି ଆଗକୁ ଯାଇ ପାରିବ ନାହିଁ, ଟାୟାର ପଙ୍କଚର ହୋଇ ଯାଇଛି ବୋଲି କହି ପାଟି କରିବାକୁ ଲାଗିଥିଲେ। ପ୍ରିୟା ବସ୍ ଷ୍ଟାଣ୍ଡରେ ଟାୟାରକୁ ଠିକ୍ କରାଇବା ପାଇଁ ଚିନ୍ତା କରିଥିଲେ ମଧ୍ୟ ସେମାନେ ପ୍ରିୟାଙ୍କୁ ଆଗକୁ ଯିବା ପାଇଁ ଦେଇ ନ ଥିଲେ। ଏ ସବୁ ବିଷୟରେ ପ୍ରିୟା ମୋତେ ଜଣାଇବା ପରେ ପ୍ରିୟାଙ୍କୁ ଟୋଲ ପ୍ଲାଜାରେ ଗାଡ଼ି ରଖି କ୍ୟାବ ଯୋଗେ ଘରକୁ ଆସିବା ପାଇଁ କହିଥିଲି। ଯାହା ପରେ ସେ ଫୋନ ରଖିଥିଲେ। କିନ୍ତୁ ୯ଟା ୪୪ମିନିଟରେ ମୁଁ ପୁଣି ଫୋନ କରିବା ପରେ ପ୍ରିୟାଙ୍କ ଫୋନ ବନ୍ଦ ହୋଇ ଯାଇଥିଲା। ଯାହା ପରେ ମୁଁ ଟୋଲ ପ୍ଲାଜାରେ ପହଞ୍ଚି ଖୋଜିବା ସହ ପୁଲିସରେ ଅଭିଯୋଗ କରିଥିଲି ।

By amfnews

Related Post