Sat. Mar 7th, 2026

ଚାଇନା ଓପନ୍‌ରୁ ସାଇନା ବିଦା, ପ୍ରି-କ୍ୱାର୍ଟରରେ ସିନ୍ଧୁ

253 Views

ଚାଙ୍ଗ୍‌ଝୁ: ଅଲିମ୍ପିକ୍‌ ଏବଂ ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ଭାରତୀୟ ଲଳନା ପିଭି ସିନ୍ଧୁ ଚୀନ୍‌ର ଚାଙ୍ଗ୍‌ଝୁଠାରେ ଆୟୋଜିତ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ନେହଓ୍ଵାଲ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ମହିଳା ଏକକ ମୁକାବିଲାରେ ୨୦୧୬ରେ ଏଠାରେ ଟ୍ରଫି ଜିତିଥିବା ତୃତୀୟ ମାନ୍ୟତା ସିନ୍ଧୁ ୨୧-୧୫, ୨୧-୧୩ରେ ୩୯ ମାନ୍ୟତା ଜାପାନ୍‌ର ସାଏନା କାଓ୍ଵାକାମିଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ପ୍ରି-କ୍ୱାର୍ଟରରେ ତାଙ୍କର ମୁକାବିଲା ଥାଇଲାଣ୍ଡ୍‌ର ବୁସାନାନ ଓଙ୍ଗବାମ୍ରୁଙ୍ଗଫଙ୍ଗଙ୍କ ସହ ହେବ। ତେବେ ୨୦୧୪ରେ ପ୍ରଥମ ଭାରତୀୟ ଭାବେ ଏଠାରେ ଟ୍ରଫି ହାସଲ କରିଥିବା ସାଇନା ୨୨-୨୦, ୮-୨୧, ୧୪-୨୧ରେ କୋରିଆର ସୁଙ୍ଗ ଜି ହୁଁଙ୍କଠୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ୧୩-୨୧, ୨୧-୧୩, ୨୧-୧୨ରେ ଚାଇନିଜ୍‌ ତାଇପେର ଲିଆଓ ମିନ୍‌ ଚୁନ୍‌ ଓ ସୁ ଚିଙ୍ଗ୍‌ ହେଙ୍ଗ୍‌ଙ୍କୁ ହରାଇ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେହିପରି ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ୨୧-୧୯, ୨୧-୧୭ରେ ଜର୍ମାନିର ମାର୍ଭିନ୍‌ ଇମିଲ୍‌ ସିଦେଲ୍‌ ଓ ଲିଣ୍ଡା ଏଫ୍‌ଲରଙ୍କୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି।

By amfnews

Related Post