Thu. Mar 12th, 2026

ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟରେ ହେବ ଦମ୍ପତିଙ୍କ ଭୂତାଣୁ ସଂକ୍ରମଣ ପରୀକ୍ଷା

146 Views

ଭୁବନେଶ୍ବର : ଦମ୍ପତିଙ୍କ ଭୂତାଣୁ ସଂକ୍ରମଣ ପରୀକ୍ଷା କରାଯିବ। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ବିଶେଷକରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଯେଉଁ ଗର୍ଭବତୀ ମହିଳାଙ୍କ ପରୀକ୍ଷା ସମୟରେ ଭୂତାଣୁ ସଂକ୍ରମଣ ଚିହ୍ନଟ ହେବ ସେମାନଙ୍କ ସ୍ବାମୀଙ୍କ ଏହି ବାଧ୍ୟତାମୂଳକ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ‌ଗୋପନୀୟ ରଖାଯିବ। ଏଥିପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ କିଟ୍‌ ଯୋଗାଇ ଦିଆଯିବ। ଅଧିକରୁ ଅଧିକ ଲୋକଙ୍କ ଭୂତାଣୁ ସଂକ୍ରମଣ ପରୀକ୍ଷା କରିବାରେ ସାମିଲ୍ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

ରାଜ୍ୟରେ ଗର୍ଭବତୀ ମହିଳାଙ୍କ ବାଧ୍ୟତାମୂଳକ ଭାବେ ବିଭିନ୍ନ ପରୀକ୍ଷା ହେଉଛି। ଏଥିରେ ହି‌ମୋଗ୍ଲୋବିନ୍, ୟୁରିନ୍, ବ୍ଲଡ୍ ଗ୍ରୁପ୍, ସୁଗାର ଓ ଓଜନ ମାପ ସହିତ ଏଚ୍‌ଆଇଭି ପରୀକ୍ଷା ରହିଛି। ବର୍ଷକୁ ରାଜ୍ୟରେ ୨୨୦-୨୫୦ ଗର୍ଭବତୀ ମହିଳାଙ୍କ ନିକଟରେ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ କରାଯାଉଛି। ତେବେ କେଉଁ ସୂତ୍ରରୁ ମହିଳା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେଲେ ତାହା ଅଧିକାଂଶ ସମୟରେ ସ୍ପଷ୍ଟ ହୋଇପାରୁନାହିଁ। ତେଣୁ ଏହାକୁ ନିଶ୍ଚିତ କରିବା ପାଇଁ ଦମ୍ପତିଙ୍କ ଏଚ୍‌ଆଇଭି ପରୀକ୍ଷା କରାଯିବ। ଫଳରେ ପ୍ରାଥମିକ ସ୍ତରରୁ ଏଚ୍‌ଆଇଭି ଚିହ୍ନଟ ହୋଇପାରିବ।ଓସାକ୍ସର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗ୍ରାମ୍ୟ ସ୍ବାସ୍ଥ୍ୟ ପୋଷଣ ଦିବସ ବା ଭିଏଚ୍‌ଏନ୍‌ଡି, ଡାକ୍ତରଖାନାରେ ଏହି ପରୀକ୍ଷା କରାଯିବ। ରାଜ୍ୟବ୍ୟାପୀ ଏହି ପରୀକ୍ଷା ମାଗଣାରେ କରାଯିବ। ଆବଶ୍ୟକ ପଡ଼ିଲେ ବେସରକାରୀ ଡାକ୍ତରଖାନାରେ ଏହି ପରୀକ୍ଷା ଆରମ୍ଭ କରାଯିବ। ଚଳିତବର୍ଷ ଶେଷ ସୁଦ୍ଧା ଏହି ପରୀକ୍ଷା ଆରମ୍ଭ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

By amfnews

Related Post