Sun. Mar 8th, 2026

ଚଳିତ ବର୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

165 Views

ଭୁବନେଶ୍ବର : ଭାରତୀୟ ପରମ୍ପରାର ସର୍ବବୃହତ୍‌ ଦାନ ‘ଯୋଗ’କୁ ପ୍ରଚାର ପ୍ରସାର କରାଇବାରେ ସକ୍ରିୟ ଭୂମିକା ଓ ଉତ୍ତରଦାୟିତ୍ବ ନିଭାଉଥିବା ଗଣମାଧ୍ୟମ କ୍ଷେତ୍ରକୁ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଯୋଗ ପରମ୍ପରା ବିଶ୍ବକୁ ଭାରତର ଏକ ବୃହତ୍‌ ଦାନ। ସୁସ୍ଥ ଜୀବନଯାପନ, ରୋଗ ନିୟନ୍ତ୍ରଣରେ ଯୋଗର ବଡ଼ ଭୂମିକା ରହିଛି। ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂଆ ଭାରତର ଏହା ମନ୍ତ୍ର ହୋଇଥିବା ବେଳେ ୨୦୦ ଦେଶ ଯୋଗକୁ ଆପଣେଇ ୨୧ ଜୁନ୍‌କୁ ପ୍ରତିବର୍ଷ ଯୋଗ ଦିବସ ଭାବେ ପାଳନ କରୁଛନ୍ତି। ଏ କ୍ଷେତ୍ରରେ ଗଣମାଧ୍ୟମର ବିଶେଷ ଭୂମିକା ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଯୋଗ ବାର୍ତାକୁ ପହଞ୍ଚାଉଥିବା ଗଣମାଧ୍ୟମ କ୍ଷେତ୍ରକୁ ପ୍ରଥମଥର ପାଇଁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ(ଏୱାଇଡିଏମ୍‌ଏସ୍‌) ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଏଥିରେ ଛାପା, ବୈଦ୍ୟୁତିକ ଗଣମାଧ୍ୟମ (ଟିଭି ଓ ରେଡିଓ) ସଂସ୍ଥାକୁ ପୁରସ୍କାର କରାଯିବା ସହ ୩ଟି ବର୍ଗରେ ୩୩ ସମ୍ମାନ, ସମ୍ବାଦପତ୍ର, ଟିଭି, ରେଡିଓରେ ଯୋଗ ସମ୍ପର୍କିତ ଶ୍ରେଷ୍ଠ ଖବର ପ୍ରକାଶନ/ପ୍ରସାରଣ ପାଇଁ ଇଂରାଜୀ ସମେତ ୨୨ଟି ଭାଷାରୁ ୧୧ଟି ଲେଖାଏଁ ସମ୍ମାନ ପ୍ରଦାନ କରାଯିବ। ସ୍ବତନ୍ତ୍ର ମେଡାଲ୍‌ ସହ ଫଳକ, ପ୍ରଶସ୍ତି ପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରାଯିବ। ଏହି ଖବର ପ୍ରସାରଣ/ପ୍ରକାଶ ଜୁନ୍‌ ୧୦ରୁ ୨୫ ତାରିଖ ମଧ୍ୟରେ ହେବା ଉଚିତ୍। ୬ ଜଣ ବିଚାରକଙ୍କ ଦ୍ବାରା ‌ଶ୍ରେଷ୍ଠ ବିବେଚିତ ରିପୋର୍ଟ କିମ୍ବା ମିଡିଆ ହାଉସ୍‌କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ସମ୍ମାନ ପ୍ରଦାନ ଉତ୍ସବର ତାରିଖ ପରବର୍ତୀ ସମୟରେ ଜଣାଇଦିଆଯିବ। ଆପାତତଃ ଏହା ଜୁଲାଇ ମାସରେ ଅନୁଷ୍ଠିତ ହେବ। ଏହି ଘୋଷଣା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକରଙ୍କ ସହ ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post