Tue. Mar 10th, 2026

ଚଳନ୍ତା ଟ୍ରେନ୍‌ରୁ ପତ୍ନୀକୁ ଠେଲିଦେଇଥିଲା, ଧରାପଡ଼ିଲା

309 Views

ଦଶରଥପୁର , ଜାନୁଆରୀ ୨୨ : ପରକୀୟା ପ୍ରୀତିରେ ଅନ୍ଧ ସ୍ବାମୀ ସ୍ତ୍ରୀକୁ ଟ୍ରେନ୍‌ରୁ ଠେଲିଦେଲା। ଦୀର୍ଘ ୭ ମାସ ଧରି ପରିବାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଥିଲା। ଶେଷରେ ଏହି ନାରକୀୟ କାଣ୍ଡ ଉପରୁ ପରଦା ହଟାଇଛି ପୁଲିସ୍‌। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ଟ୍ରେନ୍‌ରୁ ପଡ଼ି ଯାଇଥିବା ସ୍ତ୍ରୀର ପତ୍ତା ମିଳିନାହିଁ। ଏମିତି ଏକ ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ତଥା ମଙ୍ଗଳପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି, କଣ୍ଟାବଣିଆ ଡିହସାହିର ଭୀମ ମଲ୍ଲିକଙ୍କ ପୁଅ କପିଳ(୩୩)। ୨୦୧୩ ଜୁଲାଇ ୧୮ ତାରିଖରେ କପିଳଙ୍କ ସହିତ ପ୍ରୀତିପୁର ପଞ୍ଚାୟତ ଖଣ୍ତିପାଳ ଗାଁର କରୁଣାକର ମଲ୍ଲିକଙ୍କ ଝିଅ ଗୀତାଞ୍ଜଳି(୩୦)ଙ୍କର ବିବାହ ହୋଇଥିଲା। ବାହାଘରର କିଛି ଦିନ ପରେ କପିଳଙ୍କର ଅନ୍ୟ ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହାକୁ ନେଇ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗୀତାଞ୍ଜଳି ପ୍ରତିବାଦ କରିବାରୁ କପିଳ ତାଙ୍କୁ ମାରପିଟ କରୁଥିଲା।

କପିଳ ପୁନାରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ଗତବର୍ଷ ଜୁନ୍‌ ୧୭ ତାରିଖରେ ଗୀତାଞ୍ଜଳିଙ୍କୁ ତାଙ୍କ ପାଖକୁ ନେଇଯିବା ପାଇଁ ପ୍ରବର୍ତ୍ତାଇ ଥିଲେ। ସ୍ବାମୀଙ୍କ ମନୋଭାବ ବଦଳି ଯାଇଥିବା ଭାବି ଗୀତାଞ୍ଜଳି ତାଙ୍କ ସହ ପୁନା ଯିବା ପାଇଁ ରାଜି ହୋଇଯାଇଥିଲେ। ସ୍ବାମୀ, ସ୍ତ୍ରୀ ଟ୍ରେନ୍‌ରେ ପୁନା ଚାଲିଯିବା ପରେ ଗୀତାଞ୍ଜଳିଙ୍କ ଦୀର୍ଘ ୭ ମାସ ହେଲା ଘର ଲୋକଙ୍କ ସହ କୌଣସି ଯୋଗାଯୋଗ ନଥିଲା। କପିଳ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଅର କୌଣସି ଖବର ନପାଇବାରୁ କରୁଣାକର ମଙ୍ଗଳପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପରେ ପୁଲିସ୍‌ ଉଠାଇ ଆଣି ପଚରାଉଚୁରା କରିଥିଲା। ସେ ଚଳନ୍ତା ଟ୍ରେନ୍‌ରୁ ପତ୍ନୀଙ୍କୁ ଠେଲି ଦେଇଥିବା ସ୍ବୀକାର କରିଥିବା ଜଣାପଡ଼ିଛି।

By amfnews

Related Post