Sun. Mar 8th, 2026

ଚର୍ଚ୍ଚ‌ାରେ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ଟୁଇଟ୍‌ : ‘ସାରଥୀଙ୍କ ପାଖରେ ଦିବ୍ୟଶକ୍ତି ଥିବା କଥା ମିଛ’

246 Views

ଭୁବନେଶ୍ବର : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସନ୍ତୋଷ ରାଉଳ ଓରଫ୍ ବାବା ସାରଥୀ। କିଏ ଥିଲେ ସାରଥୀ? ପ୍ରକୃତରେ କ’ଣ ତାଙ୍କ ପାଖରେ ଦିବ୍ୟଶକ୍ତି ଥିଲା? କାହିଁକି ଲୋକେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ? ଟୁଇଟରରେ ଏମିତି କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଆଇପିଏସ୍ ତଥା ସାରଥୀ ମାମଲାର ତଦନ୍ତ କରୁଥିବା ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ଆଉ ସାରଥୀଙ୍କ ସମ୍ପର୍କରେ ଆଇଜି ବୋଥ୍ରାଙ୍କ ଏଭଳି ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏ ସବୁ ପ୍ରଶ୍ନକର୍ତ୍ତାଙ୍କୁ ତାଙ୍କର ଉତ୍ତର ଥିଲା; ଯେଉଁ ଦିନ ଆମ ଟିମ୍‌ କେନ୍ଦ୍ରାପଡ଼ା ବାହାରିଥିଲା ସେତିକି ବେଳେ ଆମର ଜଣେ କର୍ମଚାରୀ କହିଥିଲେ, ସାରଥୀଙ୍କ ପାଖରେ ଦିବ୍ୟଶକ୍ତି ଅଛି। ଯାହା ଆମକୁ ଧ୍ବଂସ କରି ଦେବ। କିନ୍ତୁ ଯେତେବେଳେ ମୁଁ ସାରଥୀଙ୍କ ନିକଟରେ ପହଞ୍ଚି ତାଙ୍କ ଈଶ୍ବରୀୟ ଶକ୍ତି ବିଷୟରେ ପଚାରିଥିଲି। ସାରଥୀ କହିଥିଲେ, ଏହା ସଂପୂର୍ଣ୍ଣ ମିଛ। ଲୋକେ ମୋତେ ଭଗବାନ ଭାବୁଥିଲେ, ମୁଁ ମଧ୍ୟ ଲୋକଙ୍କ କଥା ଓ ବିଶ୍ବାସକୁ ମନା କରି ପାରୁ ନ ଥିଲି। ସାରଥୀ ଆଶ୍ରମରେ ସିମେଣ୍ଟ ଗାଈ କ୍ଷୀର ଦେବା ସମ୍ପର୍କରେ ମଧ୍ୟ ଆଇଜି ବୋଥ୍ରା ଉତ୍ତର ରଖିଛନ୍ତି। ଏ ସମ୍ପର୍କରେ ଯେତେବେଳେ ସାରଥୀଙ୍କୁ ପଚାରିଥିଲି ସେ କହିଥିଲେ ‌ଯେ ମୁଁ କେବେ ବି ସିମେଣ୍ଟ ଗାଈ କ୍ଷୀର ଦେବା ଦେଖିନାହିଁ। କିନ୍ତୁ ମୋର ଜଣେ ପ୍ରଶଂସକ ହଠାତ ଆସି ମୋତେ କହିଥିଲା, ବାବା ଆମ ସିମେଣ୍ଟ ଗାଈ କ୍ଷୀର ଦେଉଛି। ପ୍ରଶଂସକଙ୍କ ଏଭଳି ଉତ୍ତର ଶୁଣି ସାରଥୀ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ସେହିପରି ଆଉ ଜଣେ ପ୍ରଶ୍ନକର୍ତ୍ତା ଶ୍ରୀ ବୋଥ୍ରାଙ୍କୁ ପଚାରିଥିଲେ; ସାରଥୀଙ୍କୁ ଗିରଫ କଲାବେଳେ ଥାର୍ଡ ଡିଗ୍ରି ଦିଆଯାଇଥିଲା କି? ଏହାର ଉତ୍ତରରେ ଆଇଜି ବୋଥ୍ରା କହିଥିଲେ, ତଦନ୍ତ ସମୟରେ ସାରଥୀଙ୍କ ସହ କୌଣସି ପ୍ରକାରର ଥାର୍ଡ ଡିଗ୍ରି ପ୍ରୟୋଗ କରାଯାଇନି। ଏହା ଆପଣ ନିଜେ ସାରଥୀଙ୍କୁ ମଧ୍ୟ ପଚାରି ବୁଝିପାରିବେ। ତେବେ ଆପଣ ଏସବୁ କଥାକୁ କେମିତି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ବୋଲି ପଚରାଯିବାରୁ ଶ୍ରୀ ବୋଥ୍ରା କହିଥିଲେ; ଏସବୁ ଚାର୍ଜସିଟରେ ନାହିଁ।

ଏଠାରେ ପ୍ରକାଶଥାଉକି, ଆତ୍ମଘୋଷିତ ବାବା ସାରଥୀଙ୍କୁ ୨୦୧୫ରେ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସା‌ରଥୀ ୪ ବର୍ଷ କାଳ ଚୌଦ୍ବାର ଜେଲରେ ରହିବା ପରେ ୫ ମାସ ତଳେ ତାଙ୍କୁ ଜାମିନ୍ ମିଳିଛି।

By amfnews

Related Post