Wed. Mar 19th, 2025

ଚର୍ଚ୍ଚାରେ ସାଂସଦ ଅପରାଜିତାଙ୍କ ବଲାଙ୍ଗୀର ଗସ୍ତ : ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ, ଭଜନ ସମାରୋହରେ ସାମିଲ ହେଲେ

By amfnews Sep 19, 2019 #Featured
169 Views

ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କର ଦିନିକିଆ ଗସ୍ତ ନେଇ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସାଂସଦ ମଧ୍ୟ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଆୟୋଜକଙ୍କ ମନ ଜିଣିଛନ୍ତି ।

ସୂଚନା ଅନୁସାରେ, ବଲାଙ୍ଗୀରରେ ଲୋକସଭା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ପହଞ୍ଚିବା ପରେ ସର୍କିଟ ହାଉସକୁ ଯାଇଥିଲେ। ସେଠାରେ ସେ ବିଭିନ୍ନ ଯୁବଗୋଷ୍ଠୀ ଏବଂ ସଂଗଠନର କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ। ବଲାଙ୍ଗୀରର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେଠାରୁ ସେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ବର୍ଦ୍ଧନା ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ବଲାଙ୍ଗୀର ସିଏନ୍‌ସି କଲେଜ ଗସ୍ତ କରିଥିଲେ। ସିଏନ୍‌ସି କଲେଜର ନିର୍ଦେଶକ ଆଶୁତୋଷ ପୁରୋହିତ ଓ ପ୍ରଦୀପ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ସଭାରେ ସେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସିଏନସି କଲେଜର ଛାତ୍ରଛାତ୍ରୀମାନେ ସାଂସଦଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ନିଜର କ୍ୟାରିୟର ପରେ ସେ ରାଜନେତା ହେଲେ କଣ କରିବାକୁ ପଡ଼ିବ? ପ୍ରଶାସକ ହେବା ଠିକ୍‌ ନା ରାଜନେତା? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ଓ ଶ୍ରୀମତୀ ଷଡ଼ଙ୍ଗୀ ସବୁର ଉତ୍ତର ରଖିଥିଲେ। ପାଠପଢ଼ାକୁ ଧ୍ୟାନ ଦେଇ ନିଜର ଏକ ଉତ୍ତମ କ୍ୟାରିୟର କରିବାକୁ ହେବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ।

ଏହାପରେ ବଲାଙ୍ଗୀର ଫୁଟବଲ ଲିଗ୍‌ରେ ଶ୍ରୀମତୀ ଷଡ଼ଙ୍ଗୀ ଯୋଗଦେଇ ଫୁଟବଲ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସବୁଠୁ ନିଆରା ଥିଲା ସଂଧ୍ୟାରେ ସାଇଟ ସଦାଇପାଲିସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ଭଜନକୀର୍ତ୍ତନ କାର୍ଯ୍ୟକ୍ରମ। ସମାଜସେବୀ ସୁଲୋଚନା ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଭଜନ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଗଦେଇ ମହିଳା କୀର୍ତ୍ତନ ଦଳଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏଭଳି ଭାବରେ ସେ ଆଜି ନିଜ ଗସ୍ତରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ଭାବର ଆଦାନ ପ୍ରଦାନ କରିଥିଲେ।

By amfnews

Related Post