Sun. Mar 8th, 2026

ଚର୍ଚ୍ଚାରେ ଜିଲ୍ଲା ହସ୍ପିଟାଲ, ନିଶାରେ ଚୂର ଫାର୍ମାସିଷ୍ଟ

185 Views

ଜଗତସିଂହପୁର  : ପୁଣି ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଥର କୌଣସି ଭଲ କାମ ପାଇଁ ନୁହେଁ, ଜଣେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଅସଭ୍ୟ ଆଚରଣ ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଫାର୍ମାସିଷ୍ଟ ଡ୍ୟୁଟିରେ ଥିବା ବେଳେ ବେଡ୍‌ରେ ଶୋଇ ରୋଗୀଙ୍କଠାରୁ ପ୍ରେସ୍‌କ୍ରିପ୍‌ସନ୍‌ ନେଉଛନ୍ତି। ଠିକ୍‌ରେ କଥା କହିପାରୁନଥିବାରୁ ଫାର୍ମାସିଷ୍ଟ ମହାଶୟ ଜଣକ ନିଶାରେ ଥିବା ଜଣାପଡ଼ୁଛି। ଆଉ ତାଙ୍କ ପାଖରେ ରୋଗୀମାନେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଫାର୍ମାସିଷ୍ଟଙ୍କ ଏପରି ଆଚରଣ ଭାଇରାଲ୍‌ ହେବା ପରେ ଘଟଣାକୁ ସ୍ୱୀକାର କରିଛନ୍ତି CDMO ଅଜୟ କୁମାର ବୈଠାରୁ। ସେ କହିଛନ୍ତି,“ଏହି ଭିଡିଓ ତାଙ୍କ ନଜରକୁ ଆସିବା ପରେ ସମ୍ପୃକ୍ତ ଫାର୍ମାସିଷ୍ଟ ନିଶାସକ୍ତ ଥିବା ଜଣାପଡୁଛି। ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।”

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ପ୍ରଥମ ନୁହେଁ। କିଛି ଦିନ ତଳେ ଏହି ଚିକିତ୍ସାଳୟର ପାଇଖାନା ପ୍ୟାନ୍‌ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଥିଲା। ଠିକ୍‌ ସେହିପରି ଗତ ସପ୍ତାହରେ ଚିକିତ୍ସାଳୟର ସୁରକ୍ଷା କର୍ମୀଙ୍କ ରୁମ୍‌ରୁ ୨୦ରୁ ଅଧିକ ମଦ ବୋତଲ ଜବତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏଭଳି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

By amfnews

Related Post